
ବ୍ରହ୍ମପୁର : ପଦରବାଲି ନିକଟ ଏକ ଆଶ୍ରୟସ୍ଥଳୀରୁ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ସଦର ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅସ୍କା ଥାନା ବଜ୍ରକୋଟର ଜି.ରଘୁଆ ପାତ୍ର (୨୦), ବୁଗୁଡ଼ା ଥାନା ପଚାଲୁଣ୍ଡିର ରାଜେଶ ସାହୁ (୩୦), ବାଲିପଦର ବିସ୍ତାପିନଗରର କେ.ଅନିଲ୍ (୩୨), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଝିକିଟିପଡ଼ାର ବୃନ୍ଦା ପ୍ରଧାନ (୪୦), ହରି ପ୍ରଧାନ (୩୦)। ସେମାନଙ୍କ ଠାରୁ ଦୁଇଟି ଖଣ୍ଡା, ତିନିଟି ଲୁହା ଛଡ଼, ଦୁଇଟି ଟର୍ଚ୍ଚଲାଇଟ୍ ଜବତ ହୋଇଛି। ଗୋସାଇଁନୂଆଗାଁ ଓଁମ ବିହାର ଏବଂ ରେଡ଼ିଓ ଷ୍ଟେସନ ପଛ ସାହିରେ ହୋଇଥିବା ଚୋରି ଘଟଣାରେ ହୋଇଥିବା ପ୍ରାୟ ୪୦ଗ୍ରାମ ଓଜନର ସୁନା ଏବଂ ୫୦ଗ୍ରାମ ଓଜନର ରୁପା ଗହଣା ମଧ୍ୟ ପୁଲିସ ଏହି ଅଭିଯୁକ୍ତମାନଙ୍କ ଠାରୁ ଉଦ୍ଧାର କରିଥିବା ନେଇ ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ ଦର୍ଶାଯାଇଛି। ଏନେଇ ସଦର ଥାନାରେ କେସ୍ନଂ ୨୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅାଜି କୋର୍ଟଚାଲାଣ କରାଯାଇଛି।
ପୁଲିସ ସୂଚନା ମୁତାବକ, ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାତିରେ ସଦର ଥାନା ପୁଲିସ ପକ୍ଷରୁ ୧୭ନଂ ରାଜ୍ୟରାଜପଥର ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ବାଲିପଡ଼ା ଠାରେ ବ୍ଲକିଂ କରାଯାଇଥିଲା। ଉପରେକ୍ତ ଅଭିଯୁକ୍ତମାନେ ପଦରବାଲି ସ୍ଥିତ ଏକ ଆଶ୍ରୟସ୍ଥଳୀ ଠାରେ ଡକାୟତି ଯୋଜନା ହେଉଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ମାରଣାସ୍ତ୍ର ସହ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଜେରା ବେଳେ ସେମାନେ ପ୍ରାୟ ୧୦ଦିନ ତଳେ ରେଡ଼ିଓ ଷ୍ଟେସନ୍ ପଛପାଖରେ ଏବଂ ଦୁଇସପ୍ତାହ ତଳେ ଗୋସାଇଁନୂଆଗାଁର ଓମ୍ବିହାର ଠାରେ ହୋଇଥିବା ଚୋରି ମାମଲାରେ ସମ୍ପୃକ୍ତ ଥିବା ମାନିନେଇଥିଲେ। ଏଥିସହ ଅଭିଯୁକ୍ତଙ୍କ ଠାରୁ େଚାରି ସୁନା ଓ ରୁପା ଗହଣା ମଧ୍ୟ ପୁଲସ ଜବତ କରିବାରେ ସକ୍ଷମ ହୋଇଥିଲା।