ନାବାଳକକୁ ଯୌନ ନିର୍ଯାତନା, ଦୋଷୀକୁ ୨୦ବର୍ଷ ଜେଲ୍ ଦଣ୍ଡ, ୨୦ହଜାର ଜରିମାନା

add-all


ବ୍ରହ୍ମପୁର : ନାବାଳକକୁ ‌ଯୌନ ନିର୍ଯାତନା ମାମଲାର ବିଚାରଣା କରି ଫାଷ୍ଟଟ୍ରାକ୍ ସ୍ପେସିଆଲ୍ କୋର୍ଟ (ପୋକ୍‌ସୋ) ଜଜ୍ ଗୁରୁପ୍ରସାଦ ସାହୁ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଏଥି‌ରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତା’କୁ ୨୦ବର୍ଷ ଜେଲ୍ ଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ ପୀଡ଼ିତକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଥିବା ଜଣାପଡ଼ିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ହେଲେ ଦିଗପହଣ୍ଡି ଥାନା ଅଂଚଳର ରବୀନ୍ଦ୍ର ରଣା /କାଳିଆ।
ସୂଚନା ମୁତାବକ, ୨୦୧୪ ମସିହାରେ ଅଭିଯୁକ୍ତ ରବୀନ୍ଦ୍ର ଜଣେ ନାବାଳକକୁ ତା’ର ଘରେ କେହିନଥିବାର ସୁଯୋଗ ନେଇ ବାହାନା କରି ବିଲକୁ ନେଇଯାଇଥିଲା। ସେଠାରେ ତା’କୁ ଧମକାଇ ଯୌନ ନିର୍ଯାତନା ଦେଇଥିଲା। ଏଥିସହ ‌କାହାକୁ ଏହି ବିଷୟରେ କିଛି କହିଲେ, ତଣ୍ଟିଚିପି ମାରି ଦେବା ସହ ଗାତରେ ପୋତି ଦେବ ବୋଲି ମଧ୍ୟ ଧମକ ଦେଇଥିଲା। ଏସମ୍ପର୍କରେ ପୀଡ଼ିତ ନାବାଳକର ମା’ ଜାଣିବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ଥିତ ଫାଷ୍ଟଟ୍ରାକ୍ ସ୍ପେସିଆଲ୍ କୋର୍ଟ (ପୋକ୍‌ସୋ)ରେ ହୋଇଥିଲା। ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଫାଷ୍ଟଟ୍ରାକ୍‌ ସ୍ପେସିଆଲ୍‌ କୋର୍ଟ ଜଜ୍ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମାମଲା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.