
ବାଲିମେଳା (୨୭/୦୬) : କୋରୋନା ମହାମାରୀର ଅଭିଶାପରେ ଯେତେବେଳେ ଅଭିଶପ୍ତ ଥିଲା ସମ୍ପୂର୍ଣ୍ଣ ଦେଶ,ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ଚେଷ୍ଟା କରୁଥିଲେ ହଜାର ହଜାର ରୋଗୀ ସେଭଳି ଏକ ଘଡିସନ୍ଧୀ ମୁହୂର୍ତ୍ତରେ କାଳର କରାଳ ଦୃଶ୍ୟ ସହ ଯୁଝି ଯୁଝି ଶେଷରେ ହାରି ଯାଇଥିଲେ ଦାଉଦ୍ ଖରା । ୭୩ ବର୍ଷୀୟ ଦାଉଦ୍ ଖରା ବୟସର ଅପରାହ୍ନରେ ନିଜ ପୁଅ, ବୋହୂ ଏବଂ ନାତି ନାତୁଣୀଙ୍କ ସହ କାଳାତିପାତ କରୁଥିଲେ । ଘଟଣା ସେହି ସମୟର ଯେତେବେଳେ କୋରୋନାରେ ଆକ୍ରାନ୍ତ ହେଉଥିବା ଲୋକ ତଥା ତାଙ୍କ ପରିବାରବର୍ଗଙ୍କୁ ନାଲି ଫିତା ଦ୍ଵାରା ଗୃହ ବନ୍ଦୀ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସୁଥିଲା ସମୟେ ସମୟେ ସ୍ଥାନେ ସ୍ଥାନେ ଏକ ପ୍ରକାର ସାମାଜିକ ବାସନ୍ଦ କରାଯାଉଥିବାର ଦେଖିବାକୁ ମିଳୁଥିଲା, ଠିକ୍ ସେହି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୱାର୍ଡ଼ ନମ୍ବର-୭ ରେ ବସବାସ କରୁଥିବା ଦାଉଦ୍ ଙ୍କ ହଠାତ୍ ଶ୍ୱାସ ଉଠାଇ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। ଘରେ ପୁଅ ବୋହୂ ସଙ୍ଗେ ସଙ୍ଗେ ବ୍ୟତିବ୍ୟସ୍ତ ହୋଇ ତାଙ୍କୁ ନିକଟସ୍ଥ ବାଲିମେଳା ସରକାରୀ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ପ୍ରଥମେ ଯେତେବେଳେ କୋଭିଡ ପରୀକ୍ଷା କରାଯାଇଥିଲା, ହସ୍ତଗତ ହୋଇଥିବା ଦସ୍ତାବିଜ୍ ବୟାନ କରିଥିଲା ଯେ ୭୩ ବର୍ଷୀୟ ବୃଦ୍ଧ ଦାଉଦ୍ କୋରୋନା ସଂକ୍ରମିତ। ପରେ ପରେ ତାଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଶେଷରେ ୩୧ ଜୁଲାଇ ୨୦୨୦ ଦିନ ମୃତ୍ୟୁ ବିଜୟ ଲାଭ କରିଥିଲା ଏବଂ ହାରି ଯାଇଥିଲେ ବୃଦ୍ଧ। ତାହା ଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ କୋରୋନା ମୃତ୍ୟୁ। ପର ଦିନ ଦକ୍ଷିଣ ଓଡ଼ିଶା ଆଞ୍ଚଳିକ ଖବର କାଗଜ ପୃଷ୍ଠାରେ ସ୍ଥାନ ପାଇଥିଲା ଏହି ସଂକ୍ରମଣ ଜନିତ ମୃତ୍ୟୁ ଘଟଣା। ପରବର୍ତ୍ତୀ ପର୍ଯ୍ୟାୟରେ ମର ଶରୀରକୁ ପରିବାରବର୍ଗଙ୍କ ଉପସ୍ଥିତିରେ ତଥା ଜିଲ୍ଲା ପ୍ରଶାସନ ତତ୍ତ୍ଵାବଧାନରେ ଶବଦାହ କରାଗଲା। ସେହି ମୁହୂର୍ତ୍ତରୁ ତାଙ୍କ ପରିବାର ଲୋକଙ୍କ ସହ ଆରମ୍ଭ ହେଲା ସାମାଜିକ ବାସନ୍ଦ । ସାହି ପଡ଼ିଶା କଥା ହେବା ବନ୍ଦ କରିଦେଲେ । ମୃତ ବ୍ୟକ୍ତିଙ୍କ ପୁଅ ବନମାଳୀ ଖରାଙ୍କ ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ,ପନିପରିବା, ଔଷଧ ପତ୍ର ମଧ୍ୟ ଆଣିବାରେ ମଧ୍ୟ ହୋଇଗଲା କଟକଣା । ସମସ୍ତେ ମୁଁହ ଟେକିଲେ ମୁହଁ ଏଡାଇଲେ । ତା ସତ୍ତ୍ଵେ ମଧ୍ୟ ସବୁ ପ୍ରକାର ବାଦବିବାଦ,ଲାଞ୍ଛନା, ତାଡନାକୁ ମୁଣ୍ଡ ପାତି ସହି ନେଲେ ସେ ଓ ତାଙ୍କ ପରିବାର ବର୍ଗ । ତେଣେ ସେ ସମୟରେ ସରକାରଙ୍କ ଘୋଷଣା ମୁତାବକ ମୃତ ବ୍ୟକ୍ତିଙ୍କ ପରିବାର ନିମନ୍ତେ ୫୦,୦୦୦/- ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବା ନିମନ୍ତେ ଘୋଷଣା ହୋଇ ସାରିଥିଲା । ତେଣୁ ବନମାଳୀ ଖରା ସେହି ସରକାରୀ ସହାୟତା ପାଇ ରୀତି ନୀତି ଅନୁସାରେ ବାପାଙ୍କ ମୃତ୍ୟୁ ପରବର୍ତ୍ତୀ କ୍ରିୟା କର୍ମ ସମାପନ କରିବାକୁ ଅଣ୍ଟା ଭିଡ଼ିଥିଲେ । କିନ୍ତୁ ଏପଟେ ସରକାରୀ ଦପ୍ତର ରିପୋର୍ଟ୍ ଆଧାରରେ ପଞ୍ଜୀକରଣ ନମ୍ବର ୫୬୨/୨୦୨୦ ଜରିଆରେ ୦୬/୦୯/୨୦୨୦ ରେ ମୃତ ଦାଉଦ୍ ଖରାଙ୍କ ମୃତ୍ୟୁ ପଞ୍ଜୀକରଣ ହୋଇ ମୃତ୍ୟୁ ପ୍ରମାଣ ପତ୍ର ମିଳିଲା। ପରବର୍ତ୍ତୀ ସମୟରେ ଉକ୍ତ ସହାୟତା ରାଶି ନିମନ୍ତେ ଆବଶ୍ୟକ ସମସ୍ତ ପ୍ରମାଣ ପତ୍ର ପୁଅ ବନମାଳୀ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କଲେ । ପ୍ରଶାସନ ତରଫରୁ ପ୍ରଥମେ ତାଙ୍କୁ କୁହାଗଲା ଯେ ତାଙ୍କ ବାପାଙ୍କର ଭୋଟର୍ କାର୍ଡ ରେ ଥିବା ନମ୍ବର ଅନଲାଇନ୍ ପ୍ରକ୍ରିୟାରେ ଦାଖଲ ହୋଇପାରୁନାହିଁ ତେଣୁ ଆଧାର ପ୍ରମାଣପତ୍ର ଦାଖଲ କରିବାକୁ ହେବ । ହେଲେ ବୃଦ୍ଧାବସ୍ଥା କାରଣରୁ ପୂର୍ବରୁ ଯଦିଓ ଦାଉଦ୍ ଙ୍କ ଆଧାର ନିମନ୍ତେ ଅଙ୍ଗୁଳି ଛାପ ଆସି ପାରୁନଥିଲା ତେଣୁ ସେ ଆଧାର ପଞ୍ଜୀକରଣରୁ ବଞ୍ଚିତ ଥିଲେ । ଅନ୍ୟ ପକ୍ଷରେ ଅନ୍ତଦେୟ ଯୋଜନାରେ ରାସନ ପାଉଥିବା କାରଣରୁ ତାହା ମଧ୍ୟ ଦାଉଦ୍ ଙ୍କ ପରିଚୟକୁ ଜାହିର କରିବାରେ ଅକ୍ଷମ ହୋଇଗଲା । ଫଳରେ ଏ ପର୍ଯ୍ୟନ୍ତ ତାଙ୍କ ପରିବାର ସେହି ସହାୟତା ରାଶିକୁ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଯାଇଛନ୍ତି । ଏଭଳି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ କୋଭିଡ୍ ମୃତ୍ୟୁ ଯୋଜନାରେ ପଞ୍ଜୀକରଣ ନିମନ୍ତେ ଅନଲାଇନ୍ ପ୍ରକ୍ରିୟାରେ ଭୋଟର ତାଲିକା ନମ୍ବର ଯଦିଓ ଏକ ବିକଳ୍ପ ଥିଲା ତେବେ ତାହା କେଉଁ ପରିପ୍ରେକ୍ଷୀରେ କ୍ରିୟାହୀନ ହୋଇଗଲା ? ଅଦ୍ୟାବଧି କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ୫୯ ଆକ୍ଟିଭ୍ କେସ୍ ୧୫୫୮ ରୋଗରୁ ସୁସ୍ଥ ଓ ୦୯ ମୃତ ରିପୋର୍ଟ ଥିବା ବେଳେ ଯେତେବେଳେ ପ୍ରଥମ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ମିଳି ପାରି ନାହିଁ ତେବେ କେତେ ଜଣ ହିତାଧିକାରୀ ବାସ୍ତବିକ୍ ସରକାରୀ ଯୋଜନାର ଲାଭ ପାଇ ପାରିଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ମାଲକାନଗିରି ଏହି ଘଟଣାକୁ ଗୁରୁତ୍ବ ଦେଇ ସମାଧାନର ପନ୍ଥା ଗ୍ରହଣ କରିବେ ଏବଂ ବନମାଳୀ ଓ ତାଙ୍କ ପରିବାରଙ୍କୁ ସହାୟତା ରାଶି ମିଳି ପାରିବ !!