
ବାଲିମେଳା(୦୨/୦୭) : ମାନବ ସମାଜ ତିଷ୍ଠି ରହିବା ପାଇଁ ପରିବେଶ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ପରିବେଶ ଦିବସର ମୁଖ୍ୟ ଲକ୍ଷ୍ୟ । ତେଣୁ ଜାତିସଙ୍ଘ ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁନ୍-୫ ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଯଦି ମାନବ ସମାଜ ପରିବେଶ ସୁରକ୍ଷା ପ୍ରତି ଆଜିଠୁ ଯତ୍ନ ନ ହୁଏ ତେବେ ଦିନେ ପରିବେଶ ତା’ର ସନ୍ତୁଳନ ହରାଇ ବସିବ । ଏହି କ୍ରମରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଠାରେ ଆଜି ଆୟୋଜିତ ହୋଇଥିଲା ବୃ୍ଷରୋପଣ କାର୍ଯ୍ୟକ୍ରମ। ବନ ମହୋତ୍ସବର ଏହି ଦ୍ବିତୀୟ ପର୍ଯ୍ୟାୟରେ ବନ ବିଭାଗ ସହାୟତାରେ ସହଯୋଗ ଟିମ ଆନୁକୂଲ୍ୟରେ ବାଲିମେଳାର ୧୧ ନମ୍ବର ୱାର୍ଡ ପ୍ରଥମ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବନପାଳ ମୋହନ୍ ଗୁଡ଼ିଆ,ବନରକ୍ଷୀ ପ୍ରଶାନ୍ତ କୁମାର ରାଉତ, ସଂଗ୍ରାମ ବରାଳ, ସହଯୋଗ ଟିମ ର ସଦସ୍ୟା ସୁଧାସିନୀ ମହାରଣା,ସୁନୀତା ଗୁରୁ ଏଵଂ ସଦସ୍ୟ ଦୀପକ କୁମାର ଦାସ, ଶିଶିର ଖୋସଲା, ଭଗବାନ୍ ହିଆଲ ଉପସ୍ଥିତ ରହି ଥିବା ବେଳେ A.W.W. ଲିଲି ହାଲଦାର୍ ତଥା ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନ ରେ ବାଲିମେଳା ଅଞ୍ଚଳରେ ବହୁ ସଂଖ୍ୟକ ବୃକ୍ଷରୋପଣ କରାଯାଇ ଯେପରି ଭାବେ ସବୁ ଗଛ ବଞ୍ଚା ଯାଇପାରିବ ସେ ଉପରେ ଚେଷ୍ଟା କରାଯିବ ବୋଲି ବନପାଳ ଓ ସହଯୋଗ ଟିମ ର ସମ୍ପାଦକ ଟୁକୁଲୁ ପ୍ରଧାନ କହିଛନ୍ତି । ତେବେ ପ୍ରକାଶ ଥାଉ କି ଏହି ନିକଟ ଅତୀତରେ ବିଶ୍ଵ ପରିବେଶ ଦିବସରେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ମାଲକାନଗିରି ଜିଲ୍ଲାର ବନପାଳ ଶିବାନନ୍ଦ ଲେଙ୍କାଙ୍କ ଜଙ୍ଗଲ ମାଫିଆଙ୍କ ସହ ସଂପୃକ୍ତି ଥିବା ଘଟଣା ଚର୍ଚ୍ଚା ଜୋର ଧରିି ଥିବା ବେଳେ ଜଙ୍ଗଲ ବିଭାଗର ଆଜିର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସେପଟେ ସହଯୋଗ ଟିମ୍ ର କାର୍ଯ୍ୟକାରୀ ସଭାପତି ପି.ସରୋଜିନୀ କହିବା ମୁତାବକ ସରକାର ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ପ୍ରଶାସନ ତଥା ଜଙ୍ଗଲ ମାଫିଆଙ୍କ ଚୋରା ପ୍ରୀତି ରେ ସ୍ବାଭିମାନ ଅଞ୍ଚଳ ହେଉ ଅବା ବଣ୍ଡା ଘାଟିରେ କିମ୍ବା ସହରୀକରଣ ନାଆଁ ରେ ଖୋଦ୍ ରାଜଧାନୀରେ ଜାରି ରହିଥିବା ଅନାୟାସ ଜଙ୍ଗଲ ନାଶ ଓ ବୃକ୍ଷଚ୍ଛେଦନ ବିରୋଧରେ ଏହି ପୁନଃ ବନୀକରଣର ଏକ ଆହ୍ୱାନ ବାର୍ତ୍ତା ପହଞ୍ଚାଇବ । ଏହା ଛଡ଼ା ଆଗାମୀ ଦିନରେ ଯଦି ଏଭଳି ବୃକ୍ଷଚ୍ଛେଦନ ଯେକୌଣସି ସ୍ଥାନରେ ସଂଗଠିତ ହେଉ ନା କାହିଁକି ସହଯୋଗ ଟିମ୍ ତରଫରୁ ଏହାର ପ୍ରତିବାଦ ନିଶ୍ଚିତ କରାଯିବ ବୋଲି ଚେତାବନୀ ମଧ୍ଯ ଦେଇଛନ୍ତି।