
ବ୍ରହ୍ମପୁର : ବ୍ୟାଙ୍କ କଲୋନି ପ୍ରଥମ ଗଳିରେ ଏକ ଭଡ଼ାଘରେ ବେଆଇନ୍ ମଦ ପ୍ରସ୍ତୁତି କାରଖାନା ଚାଲିଥିବା ଖବର ପାଇ ଗତକାଲି ଟାଉନ୍ ଥାନା ପୁଲିସ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେ ଦୁହେଁ ହେଲେ ଶ୍ରୀରାମନଗର ଆଦର୍ଶମାର୍ଗ ୨ୟଗଳିର କାଳିଆ ସାହୁ (୩୧) ଏବଂ ଶ୍ରୀରାମ ତୃତୀୟ ଗଳିର ଏ.ଗଣପତି ରାଓ (୩୧)। ଏନେଇ ଥାନାରେ କେସ୍ନଂ ୧୭୫/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ ସୂଚନା ଦିଆଯାଇଛି।
ପୁଲିସ ସୂଚନା ମୁତାବକ, ବ୍ୟାଙ୍କ କଲୋନି ପ୍ରଥମ ଗଳିର ସୁନିଲ୍ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଭଡ଼ା ନେଇ ଦୁଇ ଅଭିଯୁକ୍ତ ସେଠାରେ ନକଲି ମଦ ପ୍ରସ୍ତୁତ କରୁଥିଲେ। ତାହା ସର୍ବସାଧାରଣରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା। ପୁଲିସ ଚଢ଼ାଉ ବେଳେ ସେଠାରୁ ଗୋଟିଏ ଜାର୍କିନ୍ରେ ଥିବା ୨୦ଲିଟର୍ ନକଲି ମଦ, ଏକ୍ ପ୍ଲାଷ୍ଟିକ୍ ଜାର୍ରେ ଥିବା ୫ଲିଟର୍ର ସ୍ପିରିଟ୍ ଭଳି ବାସ୍ନା ହେଉଥିବା ତରଳପଦାର୍ଥ, ବିଭିନ୍ନ ବ୍ରାଣ୍ଡର ଲୋଗୋ ଥିବା ବହୁ ନକଲି ମଦ ଭର୍ତ୍ତି ବୋତଲ, ଖାଲି ବୋତଲ, ହୋମିଓପାଥିକ୍ ସ୍ପିରିଟ୍, ଷ୍ଟିକର୍, ଠିପି ଆଦି ଜବତ ହୋଇଥିଲା। ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।