
ସୁନ୍ଦରଗଡ଼ :- ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଜଣାଇବା ସହିତ ସେସବୁର ଶୀଘ୍ର ସମାଧାନ ପାଇଁ ଦାବି କରିବା ପୂର୍ବକ ଦାବିପତ୍ର ପ୍ରଦାନ କରି ଥିଲେ। ଦାବି ଗୁଡିକ ମଧ୍ୟରେ ରାଜଗାଙ୍ଗପୁର ବ୍ଲକର ଗର୍ଭଣା ଗ୍ରାମପଞ୍ଚାୟତର ଯାମପାଲି ଠାରେ ଏକ ଅତିଥି ଭବନ ନିର୍ମାଣ ଏବଂ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତବାସୀଙ୍କ ପୁଅଝିଅ ବାହାଘର ପାଇଁ ଗୋଟିଏ ଲେଖାଏଁ କଲ୍ୟାଣମଣ୍ଡପ ନିର୍ମାଣ ଇତ୍ୟାଦି ସାମିଲ ଥିଲା ।କୁତ୍ରା ବ୍ଲକରେ ଜିଏସଡବ୍ଲୁ କମ୍ପାନୀ ଗରିବ ଆଦିବାସୀଙ୍କ ଜମିକୁ ଅଧିଗ୍ରହଣ ନ କରି ଯୋରଜବରଦସ୍ତ ଦଖଲ କରି ତାର କ୍ଷତିପୂରଣ ଟଙ୍କା ଦେଉ ନ ଥିବାର ସାଙ୍ଘାତିକ ଅଭିଯୋଗ କରି ଜମି ହରାଉ ଥିବା ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ସହିତ ପରିବାର ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ସେହି ପରି କୁତ୍ରା ବ୍ଲକର ଗରିବ ଚାଷୀମାନେ ବଡ଼ଗାଁ ବ୍ଲକ ସ୍ଥିତ ଦିୟା ଦୁଗ୍ଧ ଫାର୍ମକୁ ମକା ଯୋଗେଇ ତାର ପାଉଣା ୫୪ ଲକ୍ଷ ବାକି ରହି ଯାଇଥିବାରୁ ସେଇ ବାକି ଟଙ୍କା କିପରି ଗରିବ ଚାଷୀମାନେ ଶୀଘ୍ର ପାଇ ପାରିବେ ସେଥିପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ଦେବା ସହିତ ଏଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଥିଲେ ! ପ୍ରତ୍ୟେକ ପଞ୍ଚାୟତର ସୌନ୍ଦର୍ଯ୍ୟକରଣ କରିବା ସହିତ ସହିତ ରାସ୍ତାର ଉନ୍ନତି, ପିଇବା ପାଣି ଓ ରାସ୍ତାରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ତା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରା ଯାଇଛି । ଦାବି ଗୁଡିକ ଶୁଣିବା ପରେ ଶୀଘ୍ର ଏ ସବୁର ସମାଧାନ କରା ଯିବ ବୋଲି ଜିଲ୍ଲାପାଳ ପରାଗ ନିର୍ଭର ପ୍ରତିଶୃତି ଦେଇ ଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ମଙ୍ଗଳା କିଷାନଙ୍କ ସହିତ ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ରାଜଗାଙ୍ଗପୁର ବ୍ଲକ ଅଧ୍ୟକ୍ଷା ଶାବିନା ମିଂଜ଼, ରାଜଗାଙ୍ଗପୁର କ ଜିଲ୍ଲାପରିଷଦ ସଭ୍ୟା ସୁଶୀଳା ଟପ୍ପୋ, ଖ ଜିଲ୍ଲାପରିଷଦ ସଭ୍ୟା ଜ୍ୟୋତି କୁଜୁର, ରାଜଗାଙ୍ଗପୁର ଲ୍ୟାମ୍ପ ସଭାପତି ବସନ୍ତ ଟପ୍ପୋ, ରାଜଗାଙ୍ଗପୁର ବ୍ଲକ ବିଜେଡି ସଭାପତି ରାମ କୁଜୁର, କୁଟନିଆ ସରପଞ୍ଚ ବିଷ୍ଣୁ ଲାକ୍ରା,ଆମଗୋଭା ସରପଞ୍ଚ ଅଶ୍ୱିନୀ ମାଝୀ, କିଶୋର ସାହୁ, ଏମଡି ସାନୁଲ୍ଲା,ବିଷ୍ଣୁ ସିଂ, ଏମଡି ଫୈଜ଼ାଳ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼