ଜାତୀୟ ପ୍ରତୀକର ନୂଆ ରୂପକୁ ନେଇ ବିବାଦ, ସରକାରଙ୍କୁ ଘାଇଲା କଲେ ବିରୋଧୀ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ହୋଇଥିବା ଜାତୀୟ ପ୍ରତୀକକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଶାଳକାୟ ୪ ସିଂହ ବିଶିଷ୍ଟ ଭାରତର ଜାତୀୟ ପ୍ରତୀକ ସଂସଦର ନୂଆ ବିଲଡିଂ ଉପରେ ରହିଛି। ସୋମବାର ଏହା ଅନାବରଣ ହେବା ପରେ ଏହାର ରୂପକୁ ବଦଳାଇ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ପୂର୍ବରୁ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକର ୪ ସିଂହ ଓ ବର୍ତ୍ତମାନ ମୋଦିଙ୍କ ହାତରେ ଉଦଘାଟିତ ହୋଇଥିବା ୪ ସିଂହ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।
ପୂର୍ବରୁ ବ୍ୟବହାର ହେଉଥିବା ଜାତୀୟ ପ୍ରତୀକରେ ଥିବା ସିଂହଗୁଡ଼ିକ ବେଶ ଶାନ୍ତ ଓ ସୁନ୍ଦର ଭାବେ ରହିଥିଲେ। ସେମାନେ କେବଳ ଜିଭ କାଢ଼ିଥିଲେ। ହେଲେ ଏବେ ଉଦଘାଟିତ ହୋଇଥିବା ସିଂହଗୁଡ଼ିକ ବେଶ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ସେମାନେ ଆକ୍ରମଣ ମୁଦ୍ରାରେ ଦାନ୍ତ ବାହାର କରି ରହିଛନ୍ତି। ଏହା ଭାରତର ନୀତି ଓ ସଂସ୍କୃତିର ବିରୋଧାଚରଣ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଜାତୀୟ ପ୍ରତୀକରେ ଥିବା ସିଂହଗୁଡ଼ିକର ହାବଭାବରେ ବେଶ ସୁନ୍ଦରତା ରହିଥିଲା। ସେମାନେ ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଉଥିଲେ। ହେଲେ ନୂଆ ଜାତୀୟ ପ୍ରତୀକର ସିଂହ ଗୁଡ଼ିକ ମଣିଷକୁ ଖାଇଯିବାର ଆଭିମୁଖ୍ୟ ପୋଷଣ କରିଥିବା ଦଳ କହିଛି।
ପ୍ରଧାନମନ୍ତ୍ରୀ ମୋଦି ବ୍ୟବହାର କରୁଥିବା ଅମୃତକାଳ ଶବ୍ଦକୁ ନେଇ ଆରଜେଡି ତାଙ୍କୁ ବାଣ ମଧ୍ୟ ମାରିଛି। ଦଳ ଟ୍ୱିଟ କରି କହିଛି ଯେ “ମୂଳ ବା ପ୍ରକୃତ ଜାତୀୟ ପ୍ରତୀକରେ ଉଦାର ଭାବ ଥିଲା। କିନ୍ତୁ ଅମୃତକାଳରେ ତିଆରି ହୋଇଥିବା ଜାତୀୟ ପ୍ରତୀକରେ ମଣିଷକୁ ଗିଳିବା ଓ ଦେଶର ସବୁ କିଛିକୁ ଖାଇ ଯିବାର ଭାବ ରହିଛି। ପ୍ରତିଟି ପ୍ରତୀକ ଜଣେ ମଣିଷର ପ୍ରକୃତ ଭାବକୁ ଦର୍ଶାଇ ଥାଏ। ପ୍ରତୀକ ହିଁ ଜଣେ ବ୍ୟକ୍ତିତ ପ୍ରକୃତ ସ୍ୱାଭାବକୁ ସାମ୍ନାକୁ ଆଣିଥାଏ।”
ଟିଏମସି ସାଂସଦ ଜବାହର ସରକାର କହିଛନ୍ତି, “ଏହା ଆମର ଜାତୀୟ ପ୍ରତୀକ ଓ ଅଶୋକଙ୍କ ସୁନ୍ଦର ସିଂହଗୁଡ଼ିକ ପ୍ରତି ଅପମାନ।” ସେ ପୁରୁଣା ଜାତୀୟ ପ୍ରତୀକ ଓ ନୂଆ ଜାତୀୟ ପ୍ରତୀକର ଫଟୋ ଜାରି କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ଟିଆରଏସ୍‌ର ମିଡିଆ ସଂଯୋଜକ ୱାଇ ସତୀଶ ରେଡ୍ଡୀ, ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ବିଜେପି ସାଂସଦ କୀର୍ତ୍ତି ଆଜାଦ, ଆପ ସାଂସଦ ସଞ୍ଜୟ ସିଂହ, ଟିଏମସି ସାଂସଦ ମହୁଆ ମୌତ୍ର ପ୍ରମୁଖ ପୁରୁଣା ଓ ନୂଆ ପ୍ରତୀକର ଫଟୋ ଛାଡ଼ି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ସଞ୍ଜୟ ସିଂହ କହିଛନ୍ତି, ୧୩୦ କୋଟି ଭାରତୀୟକୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇଥିବା ଲୋକଙ୍କୁ ଦେଶଦ୍ରୋହୀ କୁହାଯିବ ନା ନାହିଁ?
ଅନ୍ୟପକ୍ଷରେ ମୋଦି ସରକାର ଜାତୀୟ ପ୍ରତୀକର ପରିବର୍ତ୍ତନକୁ ଯର୍ଥାର୍ଥ କହିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ଜାତୀୟ ପ୍ରତୀକକୁ ସାରନାଥ ‘ଲାଇଅନ କ୍ୟାପିଟାଲ ଅଫ ଅଶୋକରୁ ଗ୍ରହଣ କରାଯାଇଛି। ଅଶୋକଙ୍କ ସିଂହ ସାରନାଥ ସଂଗ୍ରହାଳୟରେ ରହିଛି। ଏହି ଆଧାରରେ ନୂଆ ଜାତୀୟ ପ୍ରତୀକ ତିଆରି ହୋଇଛି। ଦେଶର ଗର୍ବକୁ ସଂସଦର ବିଲଡିଂ ଉପରେ ରଖାଯାଇଛି।
ଏହାର ଉଚ୍ଚତା ୬.୫ ମିଟର ହୋଇଥିବା ବେଳେ ଓଜନ ୧୬ ହଜାର କେଜି। ଭାରତୀୟ କାରିଗରମାନେ ନିଜ ହାତରେ ଏହାକୁ ତିଆରି କରିଛନ୍ତି। ଜାତୀୟ ପ୍ରତୀକଟି ସଂପୂର୍ଣ୍ଣ ବ୍ରୋଞ୍ଜରେ ତିଆରି ହୋଇଛି। ଅନ୍ୟ କୌଣସି ଜିନିଷ ଜାତୀୟ ପ୍ରତୀକରେ ବ୍ୟବହାର ହୋଇନି। ଭାରତର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଅଧିକ କାରଗିର ୬ ମାସରୁ ଅଧିକ ସମୟ ଧରି ଏହି ଜାତୀୟ ପ୍ରତୀକକୁ ତିଆରି କରିଛନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।

ad-week
Leave A Reply

Your email address will not be published.