
ରାୟଗଡ଼ା: କିଛି ବର୍ଷ ପରେ ପୁଣି ଥରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକକୁ ଫେରିଛି ହଇଜା । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ୱ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ପରିସ୍ଥିତିରେ ଝାଡା ବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହଁ, କଳାହାଣ୍ଡି ଓ କୋରାପୁଟ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆରଏମଆରସିର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କହିଛି ।
ଆଜି ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଗଣମାଧ୍ୟମକୁ କହିଛନ୍ତି, କାଶୀପୁରରେ ଚିହ୍ନଟ ହୋଇଛି ଭାଇବେରିଆ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ନମୁନାରେ ଭାଇବେରିଆ କଲେରା ଭୂତାଣୁ ଥିବା ଜଣାପଡିଛି । ଆଜି ରିପୋଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି ଯାଉଥିବା ନଦୀ , ନାଳ , ପୋଖରୀ , କୂଅ , ନଳକୂପ ସମେତ ପାନୀୟ କିମ୍ବା ଦୈନନ୍ଦିନ ବ୍ୟବହାର ଜଳ ଉତ୍ସକୁ ବ୍ୟବହାର କରିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ବ୍ୟବହାର ପାଇଁ ସମ୍ପୃକ୍ତ ଅଞ୍ଚଳରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ତା ସାଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ (୯୪୩୭୪୪୮୭୪୭) ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରର ୭ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।
ଉଷାପଡ଼ା ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ହୋଇଛି । ସେପଟେ କାଶୀପୁର ବ୍ଲକରେ ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିଛି । ଝାଡା ବାନ୍ତିର ପ୍ରକୃତ କାରଣ ଖୋଜିବାହାର କରିବା ପାଇଁ ଆରଏମଆରସି ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଆରଏମଆରସି ଟିମ୍ର ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ପାଳ କହିଛନ୍ତି ଯେ ପୁର୍ବରୁ ମଧ୍ୟ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା । ବର୍ତ୍ତମାନ ପୁଣି କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ । ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର , ରାୟଗଡା ଜିଲ୍ଲାର କାଶୀପୁର , କଲ୍ୟାଣସିଂପୁର , କୋରାନରା , ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଆଞ୍ଚଲ ପ୍ରତି ବିପଦ ଥିବା ଡା. ପାଲ କହିଛନ୍ତି । ଆଜି ଏହି ଟିମ ଟିକିରି, ଦୁଡୁକା ବାହାଲ, ମାଇକଞ୍ଚ, ଡଙ୍ଗାସିଲ ଓ କାଶୀପୁର ଯାଇ ପ୍ରଥମେ ଜଳ ଏବଂ ରୋଗୀଙ୍କ ଠାରୁ ମଳର ନମୁନା ସଂଗ୍ରହ କରିଥିଲେ ।
ବିଭିନ୍ନ ଜଳ ଉତ୍ସରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନେଇଥିଲେ । ଏଣେ ବିଭିନ୍ନ ମେଡିକାଲରେ ୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭, ଉଷାପଡା ଉତ୍କଳ ହସ୍ପିଟାଲରେ ୩୨, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ ଓ କୋରାପୁଟସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିଭଳି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାଟିମ ଆଜି ପ୍ରାୟ ୩୦ ଜଣଙ୍କ ଚିକିତ୍ସା କରିଛନ୍ତି । ତେବେ ହଇଜା ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଚାଲିଛି । ଦୂଷିତ ଜଳ ହିଁ ଏହା ବ୍ୟାପୀବାର କାରଣ ବୋଲି ଆରଏମଆରସି ଟିମ୍ କହିଛି । ଅପରପକ୍ଷରେ ଆଜି ମଧ୍ୟ ସ୍ୱାସ୍ଥ୍ୟବିଭାଗ ଟିମ ଓ ଆନ୍ୟାନ୍ୟ ଅଧିକାରୀ ଲୋକଙ୍କୁ ସଚେତନ କରିବା ସହ ହାଲୋଜେନ ଟାବଲେଟ ପାଣିରେ ମିଶାଇ ସେବନ କରିବାକୁ କହୁଥିବା ନଜରକୁ ଆସିଛି । ନିୟମିତ ବ୍ୟବଧାନରେ ଓଆରଏସ ବଣ୍ଟନ ସହଔଷଧ ଗ୍ରହଣ କରିବାକୁ ଲୋକଙ୍କୁ କହିଥିଲେ ।