
ଭୁବନେଶ୍ୱର: ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦ ମିଳିଛି । ଏହାସହିତ ଓଡ଼ିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏ ବୈଠକରେ ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁରୀ ଲାଗିଛି । ସରକାର ଆଣିଥିବା ଆଇଟି ନୀତିରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବହୁ ଅନୁକୂଳ ବ୍ୟବସ୍ଥା କରିଛନ୍ତି । ଆଇଟି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନିବେଶକଙ୍କୁ ସବସିଡି ବାବଦକୁ ସର୍ବାଧିକ ୨୦ କୋଟି ମିଳିବ । ସୌରଶକ୍ତି ପ୍ଲାଣ୍ଟ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଭରଣା କରିବେ । ଗ୍ରୀନଫିଲଡ ଆଇଟି ପାର୍କ କ୍ଷେତ୍ରରେ ସରକାର ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ସହ ରେଜିଷ୍ଟ୍ରେସନ ଫି ଓ ଜମିର କିସମ ପରିବର୍ତ୍ତନ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡ଼ା ଆଇଟି ପଲିସିରେ ପୁଞ୍ଜି ନିବେଶ ରିହାତି ବାବଦକୁ ୩ କୋଟି ଯାଏ ପାଣ୍ଠି ଯୋଗାଇଦେବେ । ୫% ସୁଧ ଛାଡ଼,୩ ବର୍ଷ ଯାଏ ବିଜୁଳି ଶୁଳ୍କର ୩୦% (ୟୁନିଟ ପିଛା ସର୍ବାଧିକ ୩୫ ଲକ୍ଷ) ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି । ଆଇଟି ପଲିସିରେ ଅଧିକ ନିବେଶକ କିଭଳି ଆକର୍ଷିତ ହେବେବ ତାକୁ ଧ୍ୟାନରେ ରଖି ସେଣ୍ଟର ଅଫ ଏକ୍ସେଲନ୍ସି ପାଇଁ ସହାୟତା, ଜମି ଲିଜ କିମ୍ବା କିଣାବିକାରେ ଷ୍ଟାମ୍ପଡ୍ୟୁଟି ଓ କିସମ ବଦଳ ଫି ଛାଡ଼ ସୁବିଧା ରଖାଯାଇଛି ।
ସେହିପରି ଯେଉଁ ଆଇଟି ସଂସ୍ଥାମାନେ ଭଡ଼ାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତିମାସରେ ବର୍ଗଫୁଟ ପିଛା ୨୦ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ସେମାନଙ୍କର ପ୍ରକୃତ ଭଡ଼ାର ୭୫%ରୁ ଅଧିକ ହେବନି । ସେହିପରି ମହିଳା, ଭିନ୍ନକ୍ଷମ, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କୁ (ସର୍ବାଧିକ ୫ଲକ୍ଷ ଟଙ୍କା) ଅତିରିକ୍ତ ୨୫% ସହାୟତା ଦିଆଯିବ । ଉଦ୍ୟୋଗୀମାନେ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଓ ଦ୍ୱିତୀୟ ଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ ପାଇଁ ହେଉଥିବା ଖର୍ଚ୍ଚର ୧୦୦% ପ୍ରତିଶତ ପ୍ରୋତ୍ସାହନ ଆକାରରେ ଯୋଗାଇ ଦିଆଯିବ । ବିଡିଏ ଅଂଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇଟି କମ୍ପାନୀଗୁଡ଼ିକୁ ୫ବର୍ଷ ପାଇଁ ଶତପ୍ରତିଶତ ନେଟ୍ ଜିଏସଟିକୁ ଭରଣା କରାଯିବ।
ମାନବସମ୍ବଳ ବିକାଶ ପାଇଁ ମଧ୍ୟ ଓଡ଼ିଶା ସରକାର ପ୍ରୋତ୍ସାହନ ଦେବେ । ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯକ୍ତି ନିମନ୍ତେ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୦ହଜାର ଟଙ୍କା ସର୍ବାଧିକ ୧୦ ଲକ୍ଷ ଟଙ୍କା ଓ ପ୍ରତି ୟୁନିଟକୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି-ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀଙ୍କ ପାଇଁ ଅତିରିକ୍ତ ୧୦୦୦ଟଙ୍କା ଯୋଗାଇ ଦିଆଯିବ ।
ସେହିପରି ରାଜ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଉନ୍ନତମାନର ଟେଲିକମ୍ୟୁନିକେସନ ଭିତ୍ତିଭୂମି ଓ ନେଟୱାର୍କ ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ମୋବାଇଲ ଟାୱାର,( ଓଏଫସି) ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ ପ୍ରଣୟନ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ଟେଲିଗ୍ରାଫ ରାଇଟ୍ ଅଫ ୱେ ନିୟମ’ରେ ଭୂତଳ ଓ ଉର୍ଦ୍ଧ୍ୱ ଟେଲିଗ୍ରାଫ ଭିତ୍ତିଭୂମିର ସ୍ଥାପନ ପାଇଁ ୬୦ଦିନ ମଧ୍ୟରେ ଅନୁମତି ପ୍ରଦାନ ବାଧ୍ୟତାମୂଳକ, ଯାହା ରାଜ୍ୟ ସରକାରଙ୍କ ନୀତିରେ ବ୍ୟବସ୍ଥା ନଥିଲା । ତେଣୁ ଆଜି ରାଜ୍ୟ କ୍ୟାବିନେଟ୍ ଏହି ଓଡ଼ିଶା ମୋବାଇଲ ଟାୱାର, ଓଏଫସି ନୀତି-୨୦୧୭ରେ ସଂଶୋଧନକୁ ମଞ୍ଜୁର କରିଛନ୍ତି ।