
ଛତ୍ରପୁର : ଆଜି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ-ଅଭିଯୁକ୍ତ ତଥା ପୋଲସରା ବାସିନ୍ଦା ମନୋଜ ପଟ୍ଟନାୟକଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ୨୯ ସେପ୍ଟେମ୍ବର, ୨୦୨୧ ଓ ୧୮ ଫେବ୍ରୁଆରୀ, ୨୦୨୨ରେ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଜାମିନ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା। ଆଜି ସରକାରଙ୍କ ପକ୍ଷ ରଖୁଥିବା କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଓ ଅପର ପକ୍ଷର ଓକିଲଙ୍କ ଉପସ୍ଥିତିରେ ଏସଡ଼ିଜେଏମ୍ ଶ୍ରୀମତୀ ସୌମ୍ୟା ପ୍ରଧାନ ମାମଲାର ଶୁଣାଣି ଆରମ୍ଭ କରିଥିଲେ।
ସର୍ବ ପ୍ରଥମେ ୨୯ ସେପ୍ଟେମ୍ବର, ୨୦୨୧ରେ ମନୋଜ ପଟ୍ଟନାୟକଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଜାମିନ ପାଇବାକୁ ହେଲେ ଦୁଇଲକ୍ଷ ଟଙ୍କା କୌଣସି ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ପଇଠ କରିବାକୁ ପଡିବ ଓ ପଚାଶ ହଜାର ଟଙ୍କାର ଜାମିନ ବଣ୍ଡ ଓ ଦୁଇ ସ୍ଥାନୀୟ ଜାମିନଦାର ଦେଲେ, ଜାମିନ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ୧୮ ଫେବ୍ରୁଆରୀ, ୨୦୨୨ରେ ଉପରୋକ୍ତ ନିର୍ଦ୍ଦେଶକୁ ସାମାନ୍ୟ ପରିବର୍ତ୍ତନ କରି କହିଥିଲେ ଯେ, ପ୍ରଥମେ ୧ଲକ୍ଷ ଟଙ୍କା ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ପଇଠ କରିବାକୁ ପଡିବ ଓ ଜାମିନ ପାଇବାର ଏକ ମାସ ମଧ୍ୟରେ ଆଉ ଏକ ଲକ୍ଷ ଟଙ୍କା ପଇଠ କରିବେ ବୋଲି ଲେଖିକି କୋର୍ଟକୁ ଜଣାଇଲେ ଜାମିନ ଦିଆଯିବ। ଏତଦବ୍ୟତୀତ ଅନ୍ୟ ସବୁ ସର୍ତ୍ତ ପୂର୍ବପରି ବଳବତ୍ତର ରହିବ। କିନ୍ତୁ ଏହି ମାମଲାରେ ପୂର୍ବରୁ ୧୩ ଜୁଲାଇରେ ରାଷ୍ଟ୍ରାୟତ ବ୍ୟାଙ୍କରେ ଏକଲକ୍ଷ ଟଙ୍କା ପଇଠ କରାଯାଇନଥିବା କାରଣରୁ ଜାମିନ ଅଗ୍ରାହ୍ୟ କରାଯାଇଥିଲା ଓ ଆଜି ଯଦିଓ ରାଷ୍ଟ୍ରାୟତ ବ୍ୟାଙ୍କରେ ପଇସା ପଇଠ କରାଯାଇଥିଲା କିନ୍ତୁ ଜାମିନ ପାଇବାର ଏକ ମାସ ମଧ୍ୟରେ ଆଉ ଏକ ଲକ୍ଷ ଟଙ୍କା ପଇଠ କରିବେ ବୋଲି ଲେଖିକି କୋର୍ଟକୁ ନ ଜଣାଇବାରୁ ପୁଣି ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି ମାନ୍ୟବର ଏସଡ଼ିଜେଏମ୍। ପ୍ରାପ୍ତ ସୂଚନା ମୁତାବକ ଅର୍ଥତତ୍ୱ ଗ୍ରୁପର ବିଭିନ୍ନ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଭାବେ ମନୋଜ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ବିଚରାଧୀନ କଏଦୀ ଭାବେ ଅଛନ୍ତି।
ପୂର୍ବରୁ ମନୋଜ ପଟ୍ଟନାୟକଙ୍କ ତରଫରୁ ଜାମିନ ଆବେଦନ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଖାରଜ ହୋଇଥିଲା ଓ ପରେ ସେ ଏ.ଡି.ଜେ. କୋର୍ଟ, ଛତ୍ରପୁରରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ଏହା ବିରୁଦ୍ଧରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ, ଛତ୍ରପୁରରେ ଏଟି ଚିଟଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡ଼ିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ କରିଥିବାର ଅଭିଯୋଗ ଛତ୍ରପୁର ଥାନାରେ କେସ ନମ୍ବର ୬୮/୨୦୧୩ ରେ ୧୦ ମେ, ୨୦୧୩ ରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୨୦ବି, ୪୨୦, ୪୬୮, ୪୭୧ ତଥା ପ୍ରାଇଜ ଚିଟସ ଆଣ୍ଡ ମନୀ ସରକୁଲେଶନ (ବ୍ୟାନିଂ) ଆକ୍ଟର ଧାରା ୪, ୫ ଓ ୬ ରେ ପଞ୍ଜିକୃତ ହୋଇଥିଲା ।