ଇଡି ସ୍କାନରରେ ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ

add-all

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ବଙ୍ଗୀୟ ସୁନ୍ଦରୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ। ତାଙ୍କ ଘରକୁ ମିଳିଛି ନଗଦ ୨୦ କୋଟି ଟଙ୍କା। ବେଙ୍ଗଲରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତାଙ୍କ ଭୂମିକା ଥିବା ସନ୍ଦେହ କରିଛି ଇଡି। ବିଭିନ୍ନ ବେଙ୍ଗଲୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିବା ଅର୍ପିତାଙ୍କ ରାଜନୀତିକ ଲିଙ୍କ ସାମ୍ନାକୁ ଆସିଛି।
ସେ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ। ଶିକ୍ଷକ ନିଯୁକ୍ତିରେ ପାର୍ଥଙ୍କ ଭୂମିକା ଥିବାରୁ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ନଗଦ ୨୦ କୋଟି ଟଙ୍କା ଓ ୨୦ଟି ମୋବାଇଲ ଫୋନ ଜବତ ହୋଇଛି। ଏତେ ପରିମାଣର ଟଙ୍କା ଅର୍ପିତା କେଉଁଠୁ ଆଣିଲେ, ତା’ର ଯାଞ୍ଚ ଚାଲିଛି। ସେହିପରି ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ଆଗକୁ ଅର୍ପିତା ମଧ୍ୟ ଗିରଫ ହେବାର ଆଶଙ୍କା ରହିଛି।
ଅର୍ପିତା ବେଙ୍ଗଲର କିଛି ସିରିୟଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସିନେମା ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ତାଙ୍କର ଏଣ୍ଟ୍ରୀ ହୋଇଥିଲା। ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ସବ୍ୟସାଚ୍ଚୀ ମିଶ୍ର, ବୃଦ୍ଧାଦିତ୍ୟ ମହାନ୍ତି ଓ ଆକାଶ ଦାସନାୟକଙ୍କ ଭଳି ଅଭିନେତାଙ୍କ ସହ ସେ ଫିଲ୍ମ କରିଛନ୍ତି। ଅନୁଭବଙ୍କ ସହ ‘ମୁଁ କ’ଣ ଏତେ ଖରାପ’, ସବ୍ୟସାଚ୍ଚୀଙ୍କ ସହ ‘ତୋର ମୋର ଯୋଡ଼ି ସୁନ୍ଦର’, ବୃଦ୍ଧାଦିତ୍ୟଙ୍କ ସହ ପ୍ରେମ ରୋଗୀ ଓ ଆକାଶଙ୍କ ସହ ରାଜୁ ଆୱାର ଫିଲ୍ମରେ ସେ ନଜର ଆସିଥିଲେ।
ସେହିପରି ବନ୍ଦେ ଉତ୍କଳ ଜନୀନରେ ମଧ୍ୟ ସେ ଅଭିନୟ କରିଛନ୍ତି। ତେବେ ବେଶ କିଛି ବର୍ଷ ହେଲା ସେ ଓଲିଉଡ ତଥା ବେଙ୍ଗଲ ସିନେମାରୁ ଦୂରେଇ ରହିଛନ୍ତି। ସେ ସିନେମା ପରେ ଟିଏମସି ହେଭିୱେଟ ପାର୍ଥଙ୍କ ନିକଟବର୍ତ୍ତୀ ହୋଇଥିଲେ। ଅନେକ ସମୟରେ ପାର୍ଥ ମଧ୍ୟ ତାଙ୍କ ଘରକୁ ଯାଆନ୍ତି। ୨୦୧୯ ଓ ୨୦୨୦ରେ ସେ ପାର୍ଥଙ୍କ ଦୁର୍ଗା ପୂଜା କମିଟିର ବିଜ୍ଞାପନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅର୍ପିତା ଓ ପାର୍ଥ ଏକାଠି ନଜର ଆସୁଥିଲେ। ହେଲେ ଏବେ ଅର୍ପିତାଙ୍କ ଅଡ଼ୁଆ ବଢ଼ିଛି।

ad-week
Leave A Reply

Your email address will not be published.