ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସାଧାରଣ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିବା ଲାଗି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ବିଭିନ୍ନ ବ୍ଲକରୁ ଆସିଥିବା ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୨୦ ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୦୭ଟି ସାମୁହିକ ଏବଂ ୧୩ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା। ସେଥିମଧ୍ୟରୁ ୬୫ଟି ଅଭିଯୋଗର ସମାଧାନ ଜନ ଶୁଣାଣି କାର୍ଯ୍ୟକ୍ରମ ବେଳେ ହିଁ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଚିକିତ୍ସା ସହାୟତା ପାଇଁ ପୂର୍ବରୁ ଆବେଦନ କରିଥିବା ୩୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ରେଡ୍ କ୍ରସ୍ ପାଣ୍ଠିରୁ ଆସିଥିବା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଜନଶୁଣାଣି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଲୋକମାନେ ଆସିଥିଲେ। ରାସ୍ତାଘାଟ, ଡ୍ରେନ୍, ରାସନ କାର୍ଡ, ଜମି ଜମା, ବିଦ୍ୟୁତ ଯୋଗାଣ, ଆବାସ ଯୋଜନା ଆଦି ସମସ୍ୟାକୁ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶିବଶଙ୍କର ଟପ୍ପୋ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାଏକଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି

ad-week
Leave A Reply

Your email address will not be published.