POS ମେସିନ ଲଗାଇବା ଆଳରେ ଦୋକାନୀମାନଙ୍କୁ ଠକୁଥିବା ଦମ୍ପତି ଗିରଫ

add-all

ଯାଜପୁର: ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତିଙ୍କ ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକଙ୍କ ଠାରୁ ନଗଦ ଲକ୍ଷ ଟଙ୍କା,୬୩ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,୭ଟି ମୋବାଇଲ ଫୋନ,୪୬ ଟି ସିମ କାର୍ଡ,୨୧ଟି ବିଭିନ୍ନ ବ୍ୟାଙ୍କର ପାସବୁକ,୩ଟି POS ମେସିନ ଜବତ କରାଯାଇଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଏବଂ ତାଙ୍କ ପତ୍ନୀ ମାଳତୀ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ମାଳତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଜି ସ୍ୱାମୀ ସୁନୀଲ ଓ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ ମୁତାବକ ସୁନୀଲ ଓ ତାଙ୍କ ପତ୍ନୀ ସୃଜନ ଇନ୍ଫୋଟେକ କମ୍ପାନୀ ଖୋଲି ପେଟିଏମ ଠାରୁ POS ମେସିନ ଲଗାଇବାକୁ ଫ୍ରାଞ୍ଚାଇଜ ଆଣି ବିଭିନ୍ନ ଦୋକାନରେ ଲଗାଇଥିଲେ। ସେହି ମେସିନ ଦ୍ୱାରା ହେଉଥିବା ଅର୍ଥ କାରବାରକୁ ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ସୁନୀଲ। ଏହା ଜଣାପଡିବା ପରେ ଯାଜପୁର ସହରର କ୍ରିଷ୍ଣା ଜୁଏଲାରୀ ମାଲିକ ବଟକୃଷ୍ଣ ସାହୁ ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି କ୍ରିଷ୍ଣା ଜୁଏଲାରୀରୁ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ବେଳେ କୁଆଖିଆ ଥାନା ଅନ୍ତର୍ଗତ ଦୁଇଟି ସୁନା ଦୋକାନରୁ ୩୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି।

ଆଜି ୪ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୦୬,୪୧୭,୪୨୦,୪୩ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଅଜୟ ଜେନା ମଧ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.