ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସେମିଫାଇନାଲ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

add-all

ବର୍ମିଂହାମ: ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ପୁରୁଷ ଦଳ କାନାଡାକୁ ଏକତରଫା ଭାବେ ୮-୦ ଏବଂ ମହିଳା ଦଳ ସେହି କାନାଡାକୁ ୩-୨ ଗୋଲ୍‌ରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ଭାରତୀୟ ପୁରୁଷ ଦଳ ତା’ ଗ୍ରୁପ୍-ବି ଲିଗ୍‌ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ଅନ୍ୟପକ୍ଷରେ ଅସହାୟ କାନାଡା ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଭାରତ ପକ୍ଷରୁ ହର୍ମନପ୍ରୀତ ସିଂହ (୭, ୫୬ ମିନିଟ୍) ଏବଂ ଆକାଶଦୀପ ସିଂହ (୩୭, ୬୦) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ମନଦୀପ ସିଂହ (୫୮), ଗୁରଜାନ୍ତ ସିଂହ (୨୭), ଅମିତ ରୋହିଦାସ (୧୦) ଓ ଲଳିତ ଉପାଧ୍ୟାୟ (୨୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ତା’ର ‌ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ୱେଲ୍ସକୁ ଭେଟିବ।
ପୂର୍ବରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ତଥା ରୋମାଞ୍ଚଭରା କର ବା ମର ମ୍ୟାଚ୍‌ରେ କନାଡାକୁ ୩-୨ ଗୋଲ୍‌ରେ ପରାସ୍ତ କରି ଭାରତୀୟ ମହିଳା ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସେମିଫାଇନାଲ୍‌ରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ବୁଧବାର ମ୍ୟାଚ୍‌ର ୨୨ ମିନିଟ୍ ପର୍ଯ୍ୟନ୍ତ ଭାରତ ଖେଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲା। ଏପରିକି ସଲିମା ଟେଟେ (୩ ମିନିଟ୍) ଓ ନଭନୀତ କୌର (୨୨ ମିନିଟ୍)ଙ୍କ ଗୋଲ୍ ବଳରେ ୨-୦ରେ ଆଗୁଆ ହୋଇଯାଇଥିଲା। ତେବେ ଏହା ପରେ କାନାଡା ଚମତ୍କାର ପ୍ରତ୍ୟାବର୍ତନ କରି ବ୍ରିନେ ଷ୍ଟେୟାର୍ସ (୨୩ ମିନିଟ୍) ଓ ହନା ହଘନ (୩୯ ମିନିଟ୍)ଙ୍କ ଗୋଲ୍ ବଳରେ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲା। କାନାଡା ଲଗାତାର ଭାରତୀୟ ରକ୍ଷଣଭାଗକୁ ଚାପରେ ପକାଉଥିଲା ବେଳେ ୫୧ ମିନିଟ୍‌ରେ ଲାଲରେମସିଆମୀଙ୍କ ଗୋଲ୍ ବଳରେ ପୁଣି ଥରେ ୩-୨ରେ ଆଗୁଆ ହୋଇଯାଇଥିଲା। ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଲାଲରେମସିଆମୀ ଭାରତକୁ ବିଜୟ ସୂଚକ ଗୋଲ୍ ଉପହାର ଦେଇଥିଲେ। ପରବର୍ତ୍ତୀ ୯ ମିନିଟ୍‌ରେ ବହୁଚେଷ୍ଟା ପରେ ମଧ୍ୟ କାନାଡା ଆଉ ଭାରତୀୟ ଗୋଲ୍‌ପୋଷ୍ଟକୁ ଭେଦ କରିବାକୁ ସକ୍ଷମ ହୋଇନଥିଲା। ଫଳରେ ଭାରତ ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇ ମ୍ୟାଚ୍ ସହ ସେମିଫାଇନାଲ୍ ଟିକେଟ ଜିତି ନେଇଥିଲା।

ad-week
Leave A Reply

Your email address will not be published.