
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରକୁ ସତୁରୀ ଭାଗ ଘେରି ରହିଛି ସାଲୁଙ୍କି ନଦୀ । ଏହା ଫୁଲବାଣୀର ଜୀବନରେଖା । ନଦୀର ତଳଭାଗରେ ଅନେକ ଗ୍ରାମବାସୀ ଏହି ନଦୀଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି।କିନ୍ତୁ ଫୁଲବାଣୀ ସହରର ସମସ୍ତ ଅଳିଆ ଆବର୍ଜନା ଏବଂ ଅପରିଷ୍କାର ଜଳ ନଦୀରେ ମିଶିବା ଫଳରେ ନଦୀଜଳ ପ୍ରଦୁଷିତ ହେଉଛି।ସାଲୁଙ୍କି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ପକ୍ଷରୁ ଫୁଲବାଣୀ ପୌରପରିଷଦ ଓ ଜିଲା ପ୍ରଶାସନକୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସାଲୁଙ୍କି ବଞ୍ଚାଅ ଆନ୍ଦୋଳନ ର ମୁଖ୍ୟ ପୁରୋଧା ସ୍ୱର୍ଗତ ବ୍ରହ୍ମା ବେହେରାଙ୍କ ଡାକରାରେ ଡାକପାଲା ଓ ଡାମିଗାଁ ର ଶତାଧିକ ଗ୍ରାମବାସୀ ବାରମ୍ବାର ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ରାଲି ଶୋଭାଯାତ୍ରା କରିସାଲୁଙ୍କି ବଞ୍ଚାଅ ଆନ୍ଦୋଳନ କରି ନଦୀକୁ ସୁରକ୍ଷିତ ରଖିବା ସହ ନଦୀ ଉପରେ ଏକ ବ୍ରଜ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ। ଫୁଲବାଣୀ ସହରର ଆବର୍ଜନା ପାଣି ହୋଟେଲ ଶୌଚାଳୟ ଇତ୍ୟାଦିର ପାଣି ନଦିକୁ ଛାଡିବା ଫଳରେ ଅତ୍ୟଧିକ ପ୍ରଦୂଷିତ ହେଉଛି, ଯାହା ବ୍ୟବହାର ଯୋଗ୍ୟ ନୁହେଁ। କିନ୍ତୁ ବିକଳ୍ପ ଜଳର ବ୍ୟବସ୍ଥା ନଥିବାରୁ ପାଇଖାନା ପାଣି ମିଶ୍ରିତ ଜଳ ବ୍ୟବହାର କରିବାକୁ ଜନସାଧାରଣ ବାଧ୍ୟ ହେଉଛନ୍ତି। ସମ୍ବିଧାନ ଧାରା ୨୧ଅନୁସାରେ ବଞ୍ଚିବା ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ ଯାହା ମୌଳିକ ଅଧିକାର ଉଲଂଘନ କରୁଛି।ତେଣୁ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଅଶୋକ ପରିଡାଙ୍କ ସହ ୧୮ଜଣ ସେଛାସେବୀ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ପରାମର୍ଶ ରେ ଜିଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ପୌର ପରିଷଦ ଓ ଜିଲା ପ୍ରଶାସନର ଅବହେଳା ଓ ଖାମଖିଆଲି ମନୋଭାବ ନେଇ ଏକ ମାମଲା ରୁଜୁ କରିଥିଲେ। ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ନ୍ୟାୟାଧିଶ ସନ୍ତୋଷ କୁମାର ନାୟକ କେସ ନଂ ୫୮/୨୦୨୨ରେ ଏହାର ଶୁଣାଣି କରି ନଦୀଜଳ ପ୍ରଦୂଷିତ ହେଉଥିବା ହୃଦୟଙ୍ଗମ କରି ଫୁଲବାଣୀ ଫୁଲବାଣୀ ପୌର ପରିଷଦ ଓ ଜିଲାପାଳ କନ୍ଧମାଳ ତୁରନ୍ତ କଲେଜ ଛକ ଠାରୁ ଫୁଲବାଣୀ ସାହି ପର୍ଯ୍ୟନ୍ତ ସ୍ୱରେଜ ନିର୍ମାଣ କରାଇ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ପରିବେଶ ଓ ନଦୀଜଳକୁ ପ୍ରଦୁଷଣ ମୁକ୍ତ କରିବାକୁ ମାନ୍ୟବର ନ୍ୟାୟାଧିଶଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ପ୍ରଦୂଷଣ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଜନ ସାଧାରଣ ଙ୍କ ସ୍ୱାର୍ଥ ହାନୀ ହେଉଥିବା ଦୃଷ୍ଟିରେ ରଖି ସମାଜସେବୀ ଅଶୋକ ପରିଡାଙ୍କ ସହ ପଞ୍ଚାନନ କହଁର, ସୁଧାର କହଁର, ସମୀର ଘଟାଲ, ପ୍ରଶାନ୍ତ ବେହେରା, ଭାଗବତ ବେହେରା ନବ କିଶୋର ସାହୁ,ଶିବରାମ ପଣ୍ଡା, ଶରତ ପଟନାୟକ, ବିକାଶ ମହାନ୍ତି, ହେମନ୍ତ ମହାନ୍ତି ଲୋଚନ କହଁର, ବୁଦ୍ଧଦେବ ବେହେରା ନନ୍ଦ କହଁର, ପ୍ରବିର ମହାନ୍ତି, ପିତବାସ ଘଟାଲ, ଶଶିଭୁଷଣ ପ୍ରଧାନ,ନବ କିଶୋର ସାହୁ,ସଞୟ ଗଣ୍ଡା,କୁଶ ରଥ ପ୍ରମୁଖ ଦୀର୍ଘ ବର୍ଷର ସମସ୍ୟାର ନ୍ୟାୟ ପାଇଁ ସ୍ଥାୟୀ ଲୋକ ଆଦାଲତର ଆଶ୍ରୟ ନେଇଥିଲେ।ଆଶା ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବ।