
ମାଲକାନଗିରି (୦୬/୦୮) : ଭାରତ ସମ୍ବିଧାନର ପଞ୍ଚମ ଅନୁସୂଚୀର ଧାରା ୨୪୪ (୧),୪ର୍ଥ ଅନୁଚ୍ଛେଦର ନିୟମାବଳୀ ଅନୁଯାୟୀ, ଅନୁସୂଚିତ ଅଞ୍ଚଳ ଥିବା ପ୍ରତ୍ୟେକ ରାଜ୍ୟରେ ଆଦିବାସୀ ଉପଦେଷ୍ଟା ପରିଷଦ (TAC) ପ୍ରତିଷ୍ଠା ହେବ ଏବଂ ଯଦି ରାଷ୍ଟ୍ରପତି ନିର୍ଦ୍ଦେଶ ଦିଅନ୍ତି, ତେବେ ମଧ୍ୟ ଅନୁସୂଚିତ ଜନଜାତି ଥିବା ଯେ କୌଣସି ରାଜ୍ୟ, ଅନୁସୂଚିତ ଅଞ୍ଚଳ ନଥିଲେ ସୁଦ୍ଧା ଆଦିବାସୀ ଉପଦେଷ୍ଟା ପରିଷଦ(TAC) ରହି ପାରିବ | ଗୋଟିଏ ପଟେ ଦେଶ ସାରା ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀର ଅମୃତ ମହୋତ୍ସବ ପାଳନ ହେଉଥିବା ପରିପ୍ରେକ୍ଷୀରେ ଏଯାବତ୍ ଦେଶର କୌଣସି ରାଜ୍ୟରେ ମଧ୍ୟ ଆଦିବାସୀ ଉପଦେଷ୍ଟା ପରିଷଦ ସେଭଳି ଆଖି ଦୃଶିଆ କାର୍ଯ୍ୟପନ୍ଥା ଗ୍ରହଣ କରିବା ପରିଲକ୍ଷିତ ହୋଇ ନାହିଁ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ନୂତନ ଭାବେ ମନୋନୀତ ହୋଇଥିବା ଓଡ଼ିଶା ଆଦିବାସୀ ଉପଦେଷ୍ଟା ପରିଷଦ,ନିକଟ ଅତୀତରେ ଅର୍ଥାତ୍ ୦୨ ଅଗଷ୍ଟରେ ଓଡ଼ିଶା ସରକାରଙ୍କ ତରଫରୁ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ଏହି ପରିଷଦର ଅଧ୍ୟକ୍ଷ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିବା ବେଳେ ପରିଷଦର ଉପାଧ୍ୟକ୍ଷ ଅନୁସୂଚିତ ଜାତି ଜନ ଜାତି ମନ୍ତ୍ରୀ ଜଗନ୍ନାଥ ସରକା ରହିଛନ୍ତି । ଏହି ପରିଷଦ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଥିବା ପରିପ୍ରେକ୍ଷୀରେ ଏଥିରେ ସଦସ୍ୟଙ୍କ ସଂଖ୍ୟା ୧୮ ରହିଛି ଏବଂ ସେଥିରେ ସ୍ଥାନ ପାଇଛନ୍ତି ମାଲକାନଗିରି ଜିଲ୍ଲାର ଅତି ପରିଚିତ ସ୍ୱେଚ୍ଛାସେବୀ ଜୟନ୍ତୀ ବୁରୁଦା ।
୨୦୧୧ ଜନଗଣନା ଅନୁସାରେ ମାଲକାନଗିରି ଜିଲ୍ଲାର ସମ୍ପୂର୍ଣ୍ଣ ଜନସଂଖ୍ୟାର ୫୭.୮୩% ଅନୁସୂଚିତ ଜନଜାତି ବସବାସ କରନ୍ତି। ଏଣୁ ଏଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ପ୍ରଥମ ଥର ପାଇଁ କୁମାରୀ ଜୟନ୍ତୀ ବୁରୁଦା ଆଦିବାସୀ ଉପଦେଷ୍ଟା ପରିଷଦରେ ସାମିଲ୍ ହେବା ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି ସୃଷ୍ଟି କରି ପାରିଛି । ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜୟନ୍ତୀ ବୁରୁଦା ବିଗତ ଦିନରେ ଉତ୍କଳ ସାମ୍ବାଦିକ ସଂଘ (U.J.A.)ର ଅନ୍ୟତମ କର୍ମକର୍ତ୍ତା ରହି ଜିଲ୍ଲାରେ ସାମ୍ବାଦିକତା କରୁଥିଲେ । ତା’ ଛଡ଼ା ନାରୀ ସଶକ୍ତି କରଣ ଲକ୍ଷ୍ୟ ‘ବଡ଼ ଦିଦୀ’ ନାମକ ଏକ ଗ୍ରୁପ୍ ଜରିଆରେ ଅନେକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଝିଅ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଦିଗରେ ସେ ସକ୍ରିୟ ଭାବେ ଦାୟିତ୍ଵ ବହନ କରି ଆସୁଥିଲେ । ବିଗତ ଦିନରେ ଜିଲ୍ଲାରେ ପ୍ରଥମ ମୁକ୍ତ ପାଠାଗାର ଜୟନ୍ତୀଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିଲା ଯେଉଁଠାରେ ଆଜି ମଧ୍ୟ ବିଭିନ୍ନ ପତ୍ର ପତ୍ରିକା ଏବଂ ପୁସ୍ତକ ଅନେକ ପାଠକ ପାଠିକା ପଢୁଥିବା ସାମ୍ନାକୁ ଆସେ । କିଶୋରୀ ଅବସ୍ଥାରେ ଝିଅ ମାନଙ୍କ ଶାରୀରିକ ଯତ୍ନ ତଥା ଶିଶୁଙ୍କ ଆଦ୍ୟ ଶୈଶବ ଅବସ୍ଥାରେ ଯତ୍ନ ଦିଗରେ ଚେଷ୍ଟା କରି ଅନେକ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରି ଆସୁଥିଲେ । ତେବେ ପ୍ରଥମ ଥର ପାଇଁ ଜିଲ୍ଲାରୁ ଜଣେ ଆଦିବାସୀ ଝିଅ ରାଜ୍ୟ ଆଦିବାସୀ ଉପଦେଷ୍ଟା ପରିଷଦ ନିମନ୍ତେ ମନୋନୀତ ହୋଇଥିବାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ, ପ୍ରଶାସନିକ ତଥା ରାଜନୈତିକ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହାକୁ ନେଇ ଜିଲ୍ଲାରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି । ଏଭଳି ଏକ ଖୁସିର ମୁହୂର୍ତ୍ତରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିବା ସ୍ଥଳେ ରାଜ୍ୟ ସମାଜସେବୀ ମହାସଂଘ ତରଫରୁ ମଧ୍ୟ ଅଭ୍ୟର୍ଥନା ଜଣାଯାଇଛି । ସେପଟେ ରାଜ୍ୟ ସମାଜସେବୀ ମହାସଂଘର ସଂଯୋଜକ ତଥା ଜିଲ୍ଲା ଉପସଭାପତି ଦେବବ୍ରତ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମ୍ବିଧାନ ର ପଞ୍ଚମ ଅନୁସୂଚୀ ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଥିବା ପରିସ୍ଥିତିରେ ଏହା ଜୟନ୍ତୀଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି ଯେ ଆଗାମୀ ଦିନରେ କିଭଳି ଆଦିବାସୀଙ୍କ ହକ୍ ଓ ଅଧିକାର ସାବ୍ୟସ୍ତ ଦିଗରେ ସେ ଦାୟିତ୍ଵ ନିର୍ବାହ କରିବେ ଏବଂ ପେସା ଆକ୍ଟ କାର୍ଯ୍ୟକାରୀ ଦିଗରେ,ଜଙ୍ଗଲ ଅଧିକାର ଅଧିନିୟମ କଡ଼ାକଡ଼ି ପାଳନ ଦିଗରେ ତଥା ବହୁ ବିବାଦୀୟ ଆଦିବାସୀ ସ୍ବାର୍ଥ ବିରୋଧୀ ଜଙ୍ଗଲ ଅଧିକାର ଅଧିନିୟମର ସଂଶୋଧନରେ ରୋକ୍ ଲଗାଇବା ଦିଗରେ ଜୟନ୍ତୀ ନିଜର ସ୍ଵତନ୍ତ୍ର ଭୂମିକା ବହନ କରିବେ ବୋଲି ରାଜ୍ୟ ସମାଜସେବୀ ମହା ସଂଘ ଜୟନ୍ତୀଙ୍କ ଠାରୁ ଆଶା ରଖୁଛି ବୋଲି ବ୍ୟକ୍ତ କରିଛନ୍ତି ।