
ହିଞ୍ଜିଳିକାଟୁ (୯।୮) : ହିଞ୍ଜିଳିକାଟୁ ବ୍ଲକର ବୁରୁପୋଡା ଠାରେ ପ୍ଲଟ ବେପାର ପାଇଁ ଚାଷୀ ଚିନ୍ତାରେ। ଗତ ୪ ଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ହଜାର ରୁ ଉର୍ଦ୍ଧ୍ବ ଚାଷଜମି ଉପରେ ବର୍ଷା ଜଳ ଜମି ରହିଛି। ଜଳ ନିଷ୍କାସନ ହୋଇପାରିନାହିଁ। ସର୍ବ ସାଧାରଣଙ୍କ ନାଳକୁ ପ୍ଲଟ ବେପାରୀ ବଳପୂର୍ବକ ମାଟି ପକାଇ ପୋତିଦେବା କାରଣରୁ ହୋଇଛି ଏପରି ଅବସ୍ଥା। ୨ ବର୍ଷ ପୂର୍ବରୁ ସର୍ବ ସାଧାରଣଙ୍କ ବୁରୁପୋଡା ଠାରୁ ଖଣ୍ଡରା କିଆଝର ପର୍ଯ୍ୟନ୍ତ ନାଳ ଥିଲା। ୨ ବର୍ଷ ତଳେ ପ୍ଲଟ ବେପାରୀ ନାଳକୁ ପୋତି ଦେବାକୁ ଉଦ୍ୟମ ବେଳେ ଚାଷୀମାନେ ବିରୋଧ କରିଥିଲେ। ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତେବେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ହେଲାନାହିଁ। ପ୍ଲଟ ବେପାରୀ ଗୁଣ୍ଡାଗର୍ଦି କରି ଧମକାଇ ନାଳକୁ ଅବରୋଧ କରି ବେପାର ରେ ମାତିଲେ। ଚାରି ଦିଗରୁ ଜମିକୁ ଅବରୋଧ କରି ଚାଷୀ ଙ୍କ ଜମିକୁ କଳେବଳେ କୌଶଳେ ହଡ଼ପ କଲେ।ବହୁ ଜମି ମାଲିକ ପ୍ଲଟ ବେପାରୀ ଙ୍କ ଗୁଣ୍ଡାଗର୍ଦି ରେ ଡରି ଜମିକୁ ସେମାନଙ୍କ ହାତରେ ଟେକିଦେଲେ। ସଂପ୍ରତି ଜମି ଉପରେ ବର୍ଷା ଜଳ ଜମି ରହିବାରୁ ରୁଆ କିପରି ହେବ ତାହାକୁ ନେଇ ବହୁ ଚାଷୀ ଚିନ୍ତାରେ ଅଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ମଙ୍ଗଳବାର ସରପଂଚ ସନ୍ତୋଷୀ କୁମାରୀ ବେହେରା, ଗୌରୀ ଶଙ୍କର ସାହୁ, ସନ୍ତୋଷ ପଣ୍ଡା, ଦଣ୍ଡପାଣି ପଣ୍ଡା ପ୍ରମୁଖ ବହୁ ଚାଷୀ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ଓ ହିଞ୍ଜିଳିକାଟୁ ତହସିଲଦାର ଙ୍କୁ ପତ୍ର ଦ୍ବାରା ଅଭିଯୋଗ କରିବା ସହ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳର ପୋଡିଙ୍ଗି, ବୁରୁପଡା, ସୋମପୁର, ପୋଚିଲିମା,ସାରୁ,କଚୁଂରୁ ଓ ପୌରାଞ୍ଚଳର ନୁଆଗଡ, ଆଙ୍କୋରଡା, ବଇଁଚବଣିଆ ପ୍ରଭୃତି ଅଞ୍ଚଳର ଉଦ୍ବୃତ୍ତ ବର୍ଷାପାଣି ଵିଭିନ୍ନ ନାଳ ଯୋଗେ ନଦୀ ଓ ହ୍ରଦକୁ ପ୍ରବାହିତ ହୋଇଥାଏ । ତେବେ ପ୍ଲଟ ବେପାରୀ ଙ୍କ ପାଇଁ ବିଭିନ୍ନ ସରକାରୀ ଜାଗାରେ ଜବରଦଖଲ ଓ ସରକାରୀ ନାଳ ଗାଡ଼ିଆ ରେ ମାଟି ପକାଇ ପ୍ଲଟ କରିବା କାରଣରୁ ପରିସ୍ଥିତି ଅଣାୟତ୍ତ ହୋଇଛି। ଚାଷ ଜମିରୁ ପାଣି ନିଷ୍କାସନ ହୋଇନପାରି ଚାଷୀ ଙ୍କ ଫସଲ ନଷ୍ଟ ହେଉଛି । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶ୍ୟାମଳାଈ ମନ୍ଦିର ଛକ ଠାରୁ ପୋଡିଙ୍ଗି ଛକ ମଧ୍ୟରେ ଭଣ୍ଡାରି ଖାଳ ଦେଇ ବର୍ଷାପାଣି ଆସି ଚାନ୍ଦୁଲି ପଚାଁୟତ ଖଣ୍ଡରା ଗ୍ରାମ କିଆଧାର ହ୍ରଦ ରେ ପଡିଥାଏ । ଏହି ନାଳ ଅବରୋଧ ହୋଇଛି। ଏହି ଭଣ୍ଡାରି ନାଳକୁ ଲାଗି ସରକାରୀ ଜମିକୁ ଜମି ମାଫିଆ ବେଆଇନ ଅଧିଗ୍ରହଣ କରି ନାଳ ଉପରେ ମାଟି ପକାଇ ପୋତି ଦେଇଛନ୍ତି। । ଫଳରେ ଜଳ ନିଷ୍କାସନ ହୋଇ ପାରୁନାହିଁ । ବୁରୁପଡା ପଂଚାୟତର ଵିଜୟ ସାହୁ, ବିଜୁଳି ସାମଲ, ସୁକୁଟା ପୋଲାଇ, ଵୃନ୍ଦାବନ ବରଡ, ମୋଦିଆ ଗୌଡ, ସୁରେନ୍ଦ୍ର ପଣ୍ଡା, ଉମା ସାଵତ, ରଙ୍କ ସାବତ, ଅଖିଳ ସାବତ, ସନ୍ତୋଷ କୁମାର ପଣ୍ଡା, ନିଳାଚଳ ପଣ୍ଡା, ପ୍ରଫୁଲ୍ଲ ପାଢି, ଦଣ୍ଡପାଣି ପଣ୍ଡା, ଗନ୍ତାଇ ଗୌଡ, ହର ସାଵତ, ଗାଣ୍ଡୁ ସାବତ ପ୍ରମୁଖ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। ମଙ୍ଗଳବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଆସିବି ଲଗାଇ ଜଳ ନିଷ୍କାସନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ପ୍ଲଟ ବେପାର ପାଇଁ ଜଳର ଗତିପଥ ବଦଳୁଥିବା କାରଣରୁ ଏହା ସଫଳ ହୋଇପାରି ନାହିଁ।।ଜମିରୁ ଜମି ରହିଥିବା ବର୍ଷା ଜଳ ନିଷ୍କାସନ ପାଇଁ ବହୁ ଚାଷୀ ନିଜସ୍ଵ ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ଏ ନେଇ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ବହୁ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।