ଜିଲ୍ଲାର ସମସ୍ତ ଅଞ୍ଚଳରେ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ ଉଡିବ ଜାତୀୟ ପତାକା

ଆଜାଦୀ କା ଅମୃତ ମହୋତ୍ସବରେ ଦୁଇଟି ରଥ ଜିଲ୍ଲା ପରିକ୍ରମା କରିବ

Independence

ଛତ୍ରପୁର(୧୦.୦୮) : ରାଜ୍ୟର ସମସ୍ତ ଜିଲ୍ଲାରେ ଚଳିତ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଏବଂ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଦିନରାତି ଉଡିବ ତ୍ରିରଙ୍ଗା ପତାକା । ଏଥି ସହିତ ଅଗଷ୍ଟ ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ । ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବ ଆଜାଦୀ କା ଅମୃତ ମହୋତ୍ସବ ରଥ । ଏଥିନେଇ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଯାଇଛି ।
ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ୨୨ ଟି ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା ୩୦ ଲକ୍ଷ ଜାତୀୟ ପତାକା ମିଶନ୍ ଶକ୍ତି ବିଭାଗ ଦ୍ବାରା ସମସ୍ତ ୩୦ ଗୋଟି ଜିଲ୍ଲାକୁ ସର୍ବ ସାଧାରଣଙ୍କ ସକାଶେ ବିନା ମୂଲ୍ୟରେ ବଣ୍ଟନ ହେବ । ଏଥିନେଇ କିଭଳି କାର୍ଯ୍ୟଖସଡା ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ତେବେ କାର୍ଯ୍ୟାଳୟ ଗୁଡିକରେ ଉଡିବାକୁ ଥିବା ଜାତୀୟ ପତାକା କଣ୍ଟିଜେନ୍ସି ଫଣ୍ଡରୁ କିଣିବା ପାଇଁ କୁହାଯାଇଥିଲା । ତ୍ରୀରଙ୍ଗା ଜାତୀୟ ପତାକାଟି ଦିନରାତି ଉଡିବ, ଏଥି ସକାଶେ ଫ୍ଲାଗ୍ କୋର୍ଡକୁ କୋହଳ କରାଯାଇଛି । ୧୫ ତାରିଖ ପରେ ଜାତୀୟ ପତାକାକୁ କିଭଳି ବିସର୍ଜନ ବା ଡିସ୍ପୋଜାଲ୍ କରିବେ ତାହା ମଧ୍ୟ ଲୋକଙ୍କୁ ଜଣାଇ ଦିଆଯିବ । ସବୁ ଜିଲ୍ଲାପରି ଗଞ୍ଜାମ ଜିଲ୍ଲାକୁ ମଧ୍ୟ ରଥଟି ପରିକ୍ରମଣ କରି ସ୍ବାଧୀନତା ସ୍ମାରକୀ ସ୍ବରୂପ ଜିଲ୍ଲାକୁ ଗାନ୍ଧଜୀଙ୍କ ଗସ୍ତ ଅଞ୍ଚଳ ଏବଂ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଅଗଷ୍ଟ ୧୫ ତାରିଖ ରେ ପାଳନ ହେବାକୁ ଥିବା ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ରଥଟିର ପରିଭ୍ରମଣ କାର୍ଯ୍ୟ ଶୁଭାରମ୍ଭ କରାଯିବ । ପରିଭ୍ରମଣ କରି ଆସୁଥିବା ରଥ ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଦୁଇଗୋଟି ଭିଡିଓ ଭ୍ୟାନ୍ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଗାଥା ପରିଷଣ ପୂର୍ବକ ପରିଭ୍ରମଣ କରିବ । ସାଂସ୍କୃତିକ ଦଳ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ ହେବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ । ଯୁବପିଢୀ ମାନଙ୍କୁ ଦେଶ ସ୍ବାଧୀନତା ସଂଗ୍ରାମର କାହାଣୀକୁ ଅବଗତ କରାଇବା ସହିତ ସ୍ବାଧୀନତା ର ଇତିହାସ, ଲୁହ, ଲହୁ, ବୀରତ୍ବ,,ତ୍ୟାଗ ଓ ବଳୀଦାନର କାହାଣୀକୁ ପୁନର୍ଜୀବୀତ କରି ସେହି ବୀର ଶହୀଦ୍ ମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଜ୍ଞାପନ କରାଯିବ ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚ୍ଚିବ ସଞ୍ଜୟ କୁମାର ସିଂ ଉତ୍ସବ ପାଳନର ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ । ଛତ୍ରପୁର ସ୍ଥିତ ଓସ୍ବାନ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଭି. କୀର୍ତ୍ତିଓ୍ବାସ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.