କୁତ୍ରା ବ୍ଲକ୍ ଗସ୍ତ କରି ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଶୁକ୍ରବାର ଦିନ କୁତ୍ରା ବ୍ଲକ ଗସ୍ତ କରି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଜୀବିକା, କୃଷି ଓ କ୍ରୀଡ଼ା ଆଦି କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କରିଛନ୍ତି। ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତା ଏବଂ ଜନସାଧାରଣ ଏହାର କିପରି ଲାଭ ପାଇପାରିବେ, ତାହା ଉପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଜିଲ୍ଲାପାଳ ରୂପାନ୍ତରିତ କୁତ୍ରା ସରକାର ହାଇସ୍କୁଲ ପରିଦର୍ଶନ କରି ସେଠାରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି ଆଦି ବୁଲି ଦେଖିଥିଲେ। ଏହାସହ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ୍ କାର୍ଯ୍ୟକ୍ରମ ପାଠପଢ଼ାରେ କିପରି ବିଶେଷ ସହାୟକ ହୋଇପାରୁଛି ସେ ବିଷୟରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପଚାରି ବୁଝିଥିଲେ।
ଜିଲ୍ଲାପାଳ କୁତ୍ରା ବ୍ଲକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଗ୍ରଗତି ସମୀକ୍ଷା କରିଥିଲେ। ସେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଖତକୁରବାହାଲସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀମାନଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ମା’ଗୃହକୁ ଯାଇ ସେଠାରେ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ପାଇଁ ରହିଥିବା ଆବଶ୍ୟକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ଚଳିତ ଶିକ୍ଷାବର୍ଷରୁ କୁତ୍ରା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଫିଟର, ଇଲେକ୍ଟ୍ରିସିଆନ, ସିଲେଇ ଟେକ୍ନୋଲୋଜି, ରେଫ୍ରିଜେରେସନ ଓ ଏୟାର କଣ୍ଡିସନିଂ ଟେକ୍ନିସିଆନ୍ ଆଦି ୪ଟି ବିଭାଗରେ ନାମଲେଖା ଚାଲିଛି। ଜିଲ୍ଲାପାଳ ଏହି କେନ୍ଦ୍ରରେ ଚାଲିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ବିଭିନ୍ନ ୱାର୍କସପ୍ ବୁଲିବା ସହ ନୂତନ ବ୍ୟାଚର ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ସମସ୍ତ ୱାର୍କସପ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଉପରେ ସେ ଗୁରୁତ୍ଵ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ଜ୍ଞାନପାଲି ପଞ୍ଚାୟତର ଭେଲୁଆଡିହିଠାରେ ନିର୍ମାଣାଧୀନ ଆଷ୍ଟ୍ରୋ ଟର୍ଫ୍ ହକି ପଡ଼ିଆର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସେଠାରେ ସ୍ଥାନୀୟ ଯୁବକମାନଙ୍କ ସହ ଆଲୋଚନା ବେଳେ ଏଭଳି ଏକ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ନିୟମିତ ଅଭ୍ୟାସ କରି ନିଜକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ଗଢ଼ି ତୋଳିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସେହିପରି ବୁଢ଼ାକଟାଠାରେ ନିର୍ମାଣାଧୀନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଗ୍ରଗତି ତଦାରଖ ସହ ସିଆଲଜୋର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଶିକ୍ଷାଦାନ ଓ ପରିଚାଳନା ବ୍ୟବସ୍ଥା ବୁଲି ଦେଖିଥିଲେ।

ମାଣ୍ଡିଆରୁ ତିଆରି ରୁଚିକର ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ‘ମିଲେଟ ଅନ୍ ହୁଇଲ୍ସ’ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାପାଳ କୁତ୍ରା ବ୍ଲକ୍ ବିହାବନ୍ଧଠାରେ ଜନ ବିକାଶ କୃଷକ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ପରିଚାଳିତ ‘ମିଲେଟ ଅନ୍ ହୁଇଲ୍ସ’ର କାର୍ଯ୍ୟ ପରିଦର୍ଶନ କରିଥିଲେ।

ସେହିପରି ସେ ବିରତୋଲାରେ ଓଡ଼ିଶା ଜୀବିକା ମିଶନ ଅଧୀନରେ ୨୦୦ ଏକର ଜମିରେ ୨୦୦ରୁ ଅଧିକ ଚାଷୀଙ୍କ ଦ୍ଵାରା କରାଯାଇଥିବା କାକୁଡ଼ି ଚାଷ ବୁଲି ଦେଖିଥିଲେ। କୃଷକ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ଫସଲ ବିକ୍ରି କରିବା ପାଇଁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ କୁତ୍ରା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା, ଉପାଧ୍ୟକ୍ଷ କୌସ୍ତୁଭ ଭୂଷଣ ହୋତା, କୁତ୍ରା ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ରବୀନ୍ଦ୍ର କୁମାର ସେଠୀଙ୍କ ସହିତ ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.