ଅହିଂସା ରଥକୁ ଭଵ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ : ଅହିଂସା ରଥକୁ ପୂର୍ବାହ୍ନ ୧୦ଟା ବେଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବାଣୀଗୋଛା ଠାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଠାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗ୍ରହଣ କଲା। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ରଥକୁ କନ୍ଧମାଳ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷା,ବିଡିଓ ରବୀନ୍ଦ୍ର କଁହର,ବ୍ଲକ ଅଧ୍ୟକ୍ଷା ଅନିମା କହଁର, ସ୍ଥାନୀୟ ଜନ ପ୍ରତିନିଧି, ଜନସାଧାରଣ ଏବଂ ଛାତ୍ରଛାତ୍ରୀମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ। ଦୁଇ ଯାଗାରେ ଭିଡିଓ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ସେଠାରୁ ଫୁଲବାଣୀ ଯିବା ବାଟରେ ପିରିକୁଡ଼ି ଓ ଗୁଦାରୀ ଗ୍ରାମ ପଞ୍ଚାୟତ ସମ୍ମୁଖରେ ଭବ୍ୟ ସ୍ଵାଗତ କରାଯାଇଥିଲା । ଏଥିରେ ସ୍ଥାନୀୟ ଜନ ପ୍ରତିନିଧି, ଜନସାଧାରଣ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରେ ପରେ ଫୁଲବାଣୀ ସହରର ଏଫ୍.ସି.ଆଇ. ଛକ ଠାରେ ଭବ୍ୟ ସ୍ଵାଗତ କରି ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ରଥ ଦ୍ଵୟକୁ ଅଣାଯାଇଥିଲା। ଏଥିରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ସମେତ ବହୁ ଜନସାଧାରଣ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଜନ ପ୍ରତିନିଧି ଜିଲ୍ଲା ପ୍ରଶାସନର ପଦାଧିକାରୀ ସାମିଲ ହୋଇଥିଲେ। ସେଠାରେ ବୈଠକର ଆୟୋଜନ କରାଯାଇଥିଲା। ବକ୍ତାମାନେ ଗାନ୍ଧିଜୀ ତାଙ୍କ ଜୀବନ କାଳ ମଧ୍ୟରେ ସତ୍ୟର ଯେଉଁ ଅନେକ ପ୍ରୟୋଗ କରିଛନ୍ତି ଯାହାକି ଆତ୍ମକଥାରେ ଲେଖିଛନ୍ତି ସେଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସେଥିରେ ଗାନ୍ଧିଜୀ ଲେଖିଛନ୍ତି ସତ୍ୟ ଛଡ଼ା କୌଣସି ଭଗବାନ ଅଛନ୍ତି, ଏମିତି ସେ କେବେ ଅନୁଭବ କରିନାହାଁନ୍ତି। ସତ୍ୟମୟ ହେବାର ଏକମାତ୍ର ମାର୍ଗ ଅହିଂସା ହିଁ ଅଟେ।ସମ୍ପୂର୍ଣ ଅହିଂସା ବିନା ସତ୍ୟର ସମ୍ପୂର୍ଣ୍ଣ ଦର୍ଶନ ଅସମ୍ଭବ ବୋଲି ଅତ୍ମକଥାରେ ଲେଖିଛନ୍ତି। କନ୍ଧମାଳ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବିଧବା ପତ୍ନୀ ତିଳୋତମା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ସ୍ଥାନୀୟ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ଵାରା ଆଜାଦୀକୀ ଅମୃତ ମହୋତ୍ସବ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଦୁଇ ଯାଗାରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।ପ୍ରତ୍ୟେକ ଭବ୍ୟ ସ୍ୱାଗତ ବେଳେ ସ୍ଥାନୀୟ କଳାକାର ମାନେ ନାଚ ଗୀତ ବାଜା ବଜାଇ ପାଛୋଟି ନେଇଥିଲେ।

ad-week
Leave A Reply

Your email address will not be published.