
ବ୍ରହ୍ମପୁର : ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ ନାମ ଅଛି । ଯାହାକୁ ନେଇ ବର୍ତ୍ତମାନ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଭାବେ ଯେଉଁ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି, ପ୍ରାୟ ଦୁଇ ବର୍ଷ ତଥା ୨0୨0 ତାଙ୍କର ମୃତ୍ୟୁ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଭାବେ ୬୮ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଅଛନ୍ତି ବ୍ରହ୍ମପୁରର ମିନାକ୍ଷୀ ମିଶ୍ର। ତେବେ ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ମିନାକ୍ଷୀ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ।
ପରେ ଫେବୃୟାରୀ ୨୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମିନାକ୍ଷୀ ଥିଲେ ବିଜୁ ମହିଳା ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା। ତାଙ୍କ ପୁଅଙ୍କୁ ଏକ ଅପରାଧିକ ମାମଲାରେ ବ୍ରହ୍ମପୁର ପୋଲିସ ଗିରଫ କରିଥିଲା। ମିଥ୍ୟା ମାମଲରେ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିବା ସେ ଅଭିଯୋଗ ଆଣିଥିଲେ। ଏହାର ପ୍ରତିବାଦରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଆତ୍ମହତ୍ଯା ଉଦ୍ୟମ କରିଥିଲେ। ତାଙ୍କର ମୃତ୍ୟୁକୁ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏପରିକି ଏହା ଭିତରେ ଥରେ କାର୍ଯ୍ଯକାରିଣୀ କମିଟି ପରିବର୍ତ୍ତନ ମଧ୍ଯ ହୋଇଛି। ସେଥିରେ ମିନାକ୍ଷୀଙ୍କ ନାମ ନଥିଲା। ଏବେ ଦୁଇ ବର୍ଷ ପରେ ହଠାତ୍ ତାଙ୍କ ନାମ ରହିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜୋନ୍ ସଭାନେତ୍ରୀ ମମତା ବିଶୋୟୀଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କର କହିବାନୁଯାୟୀ, କୌଣସି ପ୍ରକାର ଭୁଲରେ ମିନାକ୍ଷୀଙ୍କ ନାମ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଭାବେ ରହିଯାଇଛି। ବୁଧବାର ରାତିରେ ତାଲିକା ପ୍ରକାଶ ପରେ ଦେଖିଥିଲି। ଏନେଇ ରାଜ୍ଯ ନେତୃ ବୃନ୍ଦଙ୍କୁ ଅବଗତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏଠାରୁ ଜଣା ପଡିଛି ଏହା ଦାୟିତ୍ୱ ହିନତା ର ନଗ୍ନ ଚିତ୍ର, ଯେଉଁମାନେ ରାଜ୍ୟ କୁ ଏହି ତାଲିକା ପଠାଇ ଥିଲେ କିମ୍ବା ରାଜ୍ୟ ସଂଘଠନ ଏହାକୁ କଣ ଦେଖି ନଥିଲା ନା ଅଣ ଦେଖା କରିଥଲା ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି l ଦଳର ସଂଘଠନ ଦାୟିତ୍ୱ ରେ ଥିବା ବ୍ୟକ୍ତି ବିଶେଷ ଏହାକୁ ଗଭୀରତା ଭାବେ ନେବା ଉଚ୍ଚିତ ବୋଲି ମତ ପ୍ରକାଶ ପାଉଛି