
ସୁନ୍ଦରଗଡ଼ : ଆଜି ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ପଶ୍ଚିମାଞ୍ଚଳର ମହାନ ଗଣପର୍ବ ନୁଆଁଖାଇର ଶୁଭେଚ୍ଛା ଓ ଶୁଭ କାମନା ଜଣେଇବା ସହିତ ନୁଆଁଖାଇ ଜୁହାର କରି ଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାପାଳ ଏହି ପରମ୍ପରା ଦେଖି ଖୁସି ହୋଇ ଯିବା ସହିତ ସେ ମଧ୍ୟ୍ୟ ପ୍ରତିଉତ୍ତରରେ ସମସ୍ତଙ୍କୁ ନୁଆଁଖାଇର ଜୁହାର ଓ ଶୁଭକାମନା ବୋଲି କହି ଥିଲେ ।ଏହା ପରେ ସୁନ୍ଦରଗଡ଼, ତଲସରା ଓ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଇ ଥିଲା । ଆଲୋଚନା ମଧ୍ୟ୍ୟରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଜ୍ଞାନପାଳି ଠାରେ ଗୋଟିଏ ଖେଳପଡ଼ିଆ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆ ଯାଇ ଏବେ ତାର ନିର୍ମାଣ ଛୋଟ ଆକାରରେ ଚାଲିଥିବା ଯୋଗୁଁ ଏହାକୁ ବଡ଼ ଖେଳପଡ଼ିଆ ଆକାରରେ ତିଆରି ଏବଂ ଏଠାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ମାନର ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ପାଇଁ ମଙ୍ଗଳା କିଷାନ ଦାବି କରିଥିଲେ । ସେହି ପରି ସୁନ୍ଦରଗଡ଼ ଠାରେ ବିବାହ ବ୍ରତ ଏବଂ କୌଣସି କାର୍ଯ୍ୟକ୍ରମ ପାଇଁ ଏକା ସାଙ୍ଗରେ ଦୁଇ ହଜାର ଲୋକଙ୍କ ଉପସ୍ଥିତ ରହି ପାରିଲା ପରି ଗୋଟିଏ କଲ୍ୟାଣ ମଣ୍ଡପ ଏବଂ ସରକାରୀ ମହାବିଦ୍ୟାଳୟ ପାଖ ବ୍ରିଜ ପାଖରୁ ନଦୀ କଡେ କଡେ ରାଣିବାଗିଚା ବାଇପାସ ଯାଏ ରିଂରୋଡ଼ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ରାଜ୍ୟ ମହିଳା ବିଜେଡିର ବରିଷ୍ଠ ଉପସଭାପତି ତଥା ସୁନ୍ଦରଗଡ଼ର ରାଜମାତା ପଦ୍ମିନୀ ଶେଖରଦେଓ ଏବଂ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ ଦାବି କରି ଥିଲେ । ଜିଲ୍ଲାପାଳ କେବଳ ସୋମବାର ଗ୍ରୀଭେନ୍ସ ଓ ଶୁକ୍ରବାର ଦିନ ଲୋକଙ୍କୁ ସାକ୍ଷାତ ପାଇଁ ସମୟ ଦେଉ ଥିବାରୁ ଲୋକେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କମ୍ ସୁଯୋଗ ପାଉଛନ୍ତି ବୋଲି ନେତୃବୃନ୍ଦ ମତ ପ୍ରକାଶ କରି ପୂର୍ବ ଜିଲ୍ଲାପାଳ ମାନଙ୍କ ପରି ବାକି ଦିନ ଗୁଡିକରେ ମଧ୍ୟ୍ୟ ଲୋକଙ୍କୁ ସାକ୍ଷାତ ହୋଇ ତାଙ୍କ ଅସୁବିଧା ବୁଝିବାପାଇଁ ରାଜ୍ୟ ମହିଳା ବିଜେଡିର ଉପସଭାପତି ସୁନିତା ବିଶ୍ୱାଳ ଅନୁରୋଧ କରି ଥିଲେ ! ଏହି ସାକ୍ଷାତ ଆଲୋଚନା ସମୟରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ମଙ୍ଗଳା କିଷାନଙ୍କ ସହିତ ରାଜମାତା ପଦ୍ମିନୀ ଶେଖରଦେଓ, ସୁନିତା ବିଶ୍ୱାଳ, ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ଟାଉନ ବିଜେଡି ଉପସଭାପତି କୌଶିକ ପଟେଲ, ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି କିଶୋର ସାହୁ, ବୀଣା ସାହୁ, ଏମଡି. ଫୈଜ଼ାଳ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼