

ରାଉରକେଲା :,(ବସନ୍ତ କୁମାର ଜେନା); ସ୍ବଚ୍ଛତାର ଅମୃତ ମହୋତ୍ସବ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଯାଏଁ ସମଗ୍ର ଦେଶବ୍ୟାପୀ ଇଣ୍ଡିଆନ୍ ସ୍ବଚ୍ଛତା ଲିଗ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦେଶର ପ୍ରାୟ ୧୮୦୦ ସହର ଭାଗ ନେବେ। ଯାହା ମଧ୍ୟରେ ରାଉରକେଲା ସହର ମଧ୍ୟ ରହିଛି । ଏହି ଲିଗ୍ ସମ୍ପର୍କରେ ଅବଗତ କରାଇବା ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବାଲିଘାଟ ସ୍ଥିତ ବସ୍ତୁ ପୁନଃପ୍ରାପ୍ତି କେନ୍ଦ୍ର ବା ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଉରକେଲା ସ୍ଥିତ ଡ. ଆମ୍ବେଦକର ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସିୟୁଟିକାଲ ସାଇନ୍ସ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମହାନଗର ନିଗମର ସ୍ବଚ୍ଛତା ବିଶେଷଜ୍ଞ ଶ୍ରୀ ଜଗନ୍ନାଥ ଦଳେଇ ଓ ଶ୍ରୀ ସ୍ବରୂପ ମହାପାତ୍ର ଉଭୟ ଓଦା ଓ ଶୁଖିଲା ଅଳିଆକୁ କିଭଳି ଖତରେ ପରିଣତ କରି ବ୍ୟବହାର କରାଯାଉଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହିତ ‘ରାଉରକେଲା ବୁଲ’ର ସଦସ୍ୟ ଭାବେ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜିକୃତ କରାଇଥିଲେ। ‘ରାଉରକେଲା ବୁଲ୍’ ଆଗାମୀ ଦିନରେ ହେବାକୁ ଥିବା ଇଣ୍ଡିଆନ୍ ସ୍ବଚ୍ଛତା ଲିଗରେ ରାଉରକେଲା ସହର ପକ୍ଷରୁ ଭାଗ ନେବ। ଏହି ଟିମ୍ ସହରକୁ ପରିଷ୍କାର ରଖିବା ଦିଗରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବ।