
ବ୍ରହ୍ମପୁର : ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଆଜି ଏକ ବିକ୍ଷୋଭ ବ୍ରହ୍ମପୁର ବୋର୍ଡ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହେବା ସହ ଏକ ଦାବି ପତ୍ର ଉପସଚିବ ସୁବାଷ ବେହେରା ଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
ରାଜ୍ୟର ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ଅନ୍ୟ ଦିଗରେ କୋରନା ମହାମାରୀ ପରେ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୟନୀୟ ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ତାଙ୍କର କାର୍ଯ୍ୟ ହରାଇଛନ୍ତି । ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାର ଦାୟିତ୍ୱ ସମ୍ପୁର୍ଣ୍ଣ ଭାବେ ସରକାର ନେବା ପରିବର୍ତ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଧାର୍ଯ୍ୟ କରାଯାଇଛି। । ଯାହାଫଳରେ ବହୁ ଗରିବ ମଧ୍ୟବିତ୍ତ ଘରର ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଂଚିତ ହେବେ। ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ ଆଦାୟ କରାଯିବ ଏହିଭଳି ଫିସ୍ ଆଗରୁ ଆଦାୟ କରାଯାଉ ନଥିଲା । ଚଳିତ ବର୍ଷରୁ ଏହିଭଳି ଫିସ୍ ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ ବୋଲି ଅଭିଯୋଗ କରିଛି ଏ ଆଇ ଡ଼ି ଏସ ଓ । ତେଣୁ ଏହି ଫିସ୍ ସମ୍ପୁର୍ଣ୍ଣ ପ୍ରତ୍ୟାହାର ପାଇଁ ଏଆଇଡ଼ିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଉଛି । ଆଜିକାର ଏହି କାର୍ଯ୍ୟକ୍ରମରେ ଏଆଇଡ଼ିଏସଓ ରାଜ୍ୟ ସଭାପତି ସେମନାଥ ବେହେରା ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, ଶୁଭସ୍ମିତା ପାଣିଗ୍ରାହି, ଆଲିଭା ଦାଶ ପ୍ରମୁଖ ବିକ୍ଷୋଭ ରେ ସାମିଲ ହୋଇଥିଲେ।
