ସୁରତରେ ହତ୍ୟା ଘଟଣାର ଅଭିଯୁକ୍ତ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ

add-all

ବ୍ରହ୍ମପୁର:ସୁରତ ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର ପାଣ୍ଡେସର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଶଙ୍କର ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପାଣ୍ଡେସର ଥାନାରେ ୩୬/୨୦୦୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ପରେ ଶଙ୍କର ନିଜ ଗାଁକୁ ଆସିଯାଇଥିଲେ । ହେଲେ ନିଜ ଗାଁ ବଦଳରେ ପୁରୁଷୋତ୍ତମପୁର ସହରରେ ନିଜ ଶ୍ବଶୁରଙ୍କ ଘରେ ରହୁଥିଲେ ।

ସାଧାରଣ ଲୋକଙ୍କ ଭଳି ଚଳୁଥିଲେ । ଏଣୁ କେହି ସନ୍ଦେହ କରୁନଥିଲେ । ତେବେ କୌଣସି ପ୍ରକାରେ ଶଙ୍କରଙ୍କ ସଂପର୍କରେ ସୂଚନା ପାଇଥିଲା ପାଣ୍ଡେସର ପୋଲିସ। ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସକୁ ସୂଚନା ଦିଆଯାଇଥିଲା । ଶନିବାର ସକାଳ ୯ଟା ବେଳେ ସ୍ଥାନୀୟ ପୋଲିସ ସହଯୋଗରେ ଶଙ୍କରଙ୍କୁ ପାଣ୍ଡେସର ଥାନା ପୋଲିସ ଗିରଫ କରିଛି। ସେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ପୋଲିସ କାବୁ କରିଥିଲା। ଶଙ୍କରକୁ ସୁରତ ନିଆଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସୂତ୍ରରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.