
ଚିତ୍ରକୋଣ୍ଡା (୧୩/୧୦): କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହଁ। କିନ୍ତୁ ସମୟ ଆଜି କିଛି ଏଭଳି ପରିସ୍ଥିତିରେ ମଣିଷ ସମାଜକୁ ଆଣି ଠିଆ କରିଛି ଯେଉଁଠି କେତେବେଳେ ସମ୍ପତ୍ତି ଲୋଭରେ ବାପା ପୁଅର ଜୀବନ ନେବାକୁ ପଛାଉ ନାହିଁ କି ପୁଅ ବାପର ଜୀବନ ନେବାକୁ ପଛାଉ ନାହିଁ। ଠିକ୍ ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ୍ ର ଯୋଡ଼ାମ୍ବ ଥାନା ଅଧୀନସ୍ଥ ଯାଜ୍ପାଲେମ୍ ଗ୍ରାମରେ ଦେଖିବାକୁ ମିଳିଛି ଯେଉଁଠି ବଡ଼ ଭାଇ ସାନ ଭାଇକୁ ବାଉଁଶ ଲାଠିରେ ପିଟି ପିଟି ଜୀବନ ନେବାରେ ପଛାଇ ନଥିଲେ । ଘଟଣା କିଛି ଏଭଳି ପରିପ୍ରେକ୍ଷୀରେ ସଂଘଟିତ ହୋଇଥିଲା ଯେ, କିଛି ଦିନ ତଳେ ଅର୍ଥାତ୍ ଗତ ମାର୍ଚ୍ଚ ମାସରେ ସ୍ବର୍ଗତ ନରସିଂହ ପାଙ୍ଗିଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ ପୁଅ ପୀତମ୍ ପାଙ୍ଗି(ବୟସ-୫୮) ଏକ ଅଜଣା ରୋଗରେ ଆକ୍ରାନ୍ତ ଥିଲେ । ଦାରିଦ୍ର୍ୟର କଷାଘାତରେ ପ୍ରତିଦିନ ଜର୍ଜରିତ ତଥା ନିଷ୍ପେସିତ ପରିବାର ନିକଟରେ ଅନ୍ୟ କୌଣସି ଉପାୟ ନଥିବା କାରଣରୁ ସାନ ଭାଇ ବଳରାମ ପାଙ୍ଗି(ବୟସ-୫୫) ଘରେ ଥିବା ଗାଈଟିକୁ ବିକ୍ରି କରି ବଡ଼ ଭାଇଙ୍କୁ ଚିକିତ୍ସିତ କରାଇଥିଲେ । ବଡ଼ ଭାଇ ପୀତମ୍ ଯେତେବେଳେ ସୁସ୍ଥ ହୋଇ ଘରକୁ ଫେରିଲେ ସେତେବେଳେ ଘରେ ଗାଈ ନଥିବା ନେଇ ସିଧା ସଳଖ ସାନ ଭାଇଙ୍କ ଉପରେ ଜୁଲୁମ୍ ଆରମ୍ଭ କରି ଦେଇଥିଲେ । ତେବେ ସାନ ଭାଇ ବଳରାମ ଅତୀତ ସମୟର ସବୁ ଘଟଣା ବଡ଼ ଭାଇକୁ ଯଦିଓ ଜଣାଇଛନ୍ତି କିନ୍ତୁ ପୀତମ୍ ବାରମ୍ବାର ତାଙ୍କୁ ନ ଜଣାଇ କାହିଁକି ସେଭଳି ନିଷ୍ପତ୍ତି ନେଲେ ବୋଲି ଆରୋପ କରି ଝଗଡ଼ା କରିଥିଲେ । ସେହି ଉତ୍ତ୍ୟକ୍ତ ଅବସ୍ଥାରେ ଗତ ୧୦ ଅକ୍ଟୋବର ଦିନ ୩.୩୦ ରେ ବଡ଼ ଭାଇ ପୀତମ ଏକ ବାଉଁଶ ଲାଠି ଦ୍ଵାରା ପ୍ରହାର କରି ସାନ ଭାଇ ବଳରାମକୁ ଆକ୍ରମଣ କରିଥିଲେ । ଫଳତଃ ଘଟଣା ସ୍ଥଳରେ ହିଁ ବଳରାମଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ନିକଟସ୍ଥ ଯୋଡ଼ାମ୍ୱ ଥାନାରେ ବଳରାମଙ୍କ ଧର୍ମପତ୍ନୀ ଲଛିମଦେଇ ପାଙ୍ଗି ହତ୍ୟାକୁ ନେଇ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ୍ ପିତମ୍ ପାଙ୍ଗିଙ୍କୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ସେପଟେ ପିତମ୍ ପାଙ୍ଗିଙ୍କ ବିରୋଧରେ କେସ ନଂ-୮ ,୧୧/୧୦/୨୦୨୨, U/S-୩୦୨ ଜରିଆରେ କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।