ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ହାତ ଗଣତି ଦୁଇ ତିନି ଗୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂର ଦୁରାନ୍ତ ପାଣି ଘେରା, ପାହାଡ଼ ପର୍ବତ ଭିତର ଦୁର୍ଗମ, ଉପାନ୍ତ ଇଲାକାରେ ଅବସ୍ଥିତ l କିଛି ବର୍ଷ ପୂର୍ବରୁ ଉକ୍ତ ଅଞ୍ଚଳ ମାନଙ୍କରେ ମାଓବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବାରୁ ପ୍ରଶାସନିକ ଅଧିକାରୀ ମାନେ ବହୁତ କମ ପରିମାଣରେ ପରିଦର୍ଶନରେ ଯାଉଥିବା ନଜିର ରହିଥିଲା । ବିକାଶ ତଥା ମୌଳିକ ଅଧିକାରରୁ ବଞ୍ଚିତ ଥିବା କାରଣରୁ କେହି କେହି କହୁଥିଲେ,ରାମଙ୍କ ବନବାସ ସମୟରେ ବୋଧ ହୁଏ ସେହି ଅଞ୍ଚଳ ଗୁଡ଼ିକରେ ରାମଙ୍କ ପାଦ ପଡ଼ିନଥିଲା । କିନ୍ତୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଉକ୍ତ ପରମ୍ପରାରେ ପୂର୍ଣ୍ଣବିରାମ୍ ଲଗାଇଛନ୍ତି ବର୍ତ୍ତମାନର କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡାରୀ। କର୍ମକ୍ଷେତ୍ରରେ ଯୋଗ ଦେବାର ମାତ୍ର ୩ମାସ ମଧ୍ୟରେ ପ୍ରାୟତଃ ୧୮ ଗୋଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରି ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛନ୍ତି । ନିକଟ ଅତୀତରେ ଅର୍ଥାତ୍ ଗତକାଲି ପାପୁଲୁରୁ ପଞ୍ଚାୟତ ଅନ୍ତର୍ଗତ ବୁରୁଡ଼ାମ୍ମା ମଦି,ନାଗଲୁରୁ କଟାଗୁଡା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗ୍ରସ୍ତ କରି ଲୋକଙ୍କ ଆବଶ୍ୟକତା ଯଥା ପାନୀୟ ଜଳ,ଅଙ୍ଗନୱାଡ଼ି,ବିଦ୍ୟୁତ୍ ସରୋବରାହ,ଭତ୍ତା ଭଳି ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ସବୁଠାରୁ ରୋଚକ କଥା ହେଲା ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ୧୭ କି.ମି. ରାସ୍ତା ଚାଲି ଚାଲି ଯିବା ନିଶ୍ଚିତଭାବେ ସାଧାରଣରେ ଚର୍ଚ୍ଚାର ପରିସରକୁ ଆସିଛି । କେବଳ ଯେ ସମସ୍ୟା ତଥା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ନୁହଁ ସେଗୁଡ଼ିକର କାର୍ଯ୍ୟକାରିତା ଏବଂ ସଫଳ ରୂପାୟନ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଉକ୍ତ ଗ୍ରସ୍ତରେ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ସୂର୍ଯ୍ୟ ପ୍ରକାଶ ବେହେରା,ବ୍ଲକ୍ ଉପାଧ୍ୟକ୍ଷ ପଦ୍ମନାଭ ଦାନୀଙ୍କ ସହ ଗ୍ରାମ ରୋଜଗାର ସେବକ ଭକ୍ତରାମ ମାଣ୍ଡି ମଧ୍ୟ ବିଡ଼ିଓଙ୍କୁ ସହାୟତା କରିଥିଲେ । ଏହି ପରିପ୍ରେକ୍ଷିରେ ବିଡ଼ିଓ ଅଳ୍ପ କିଛି ଦିନର କାର୍ଯ୍ୟକଳା ମଧ୍ୟରେ ଯନ୍ତ୍ରୀ,ଅଣ୍ଡିରାପଲ୍ଲୀର ଦୁର୍ଗମ ଅଞ୍ଚଳ ତଥା ଜୁମ୍ଡାଙ୍ଗ ଭଳି ଅଞ୍ଚଳ ନିଜେ ଗସ୍ତକରି ସମସ୍ୟାକୁ ଆଗେଇ ନେଇ ଉଦାହରଣ ସୃଷ୍ଟି କରିଛନ୍ତି l ତେବେ ବୁଦ୍ଧିଜୀବୀ ମହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଭୂରି ଭୂରି ପ୍ରଶଂସା ମଧ୍ୟ କରାଯାଇଛି ଏବଂ ଏଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନ ଅତି ସହଜରେ ସାଧାରଣ ଲୋକଙ୍କ ବିଶ୍ଵାସଭାଜନ ହୋଇପାରିବ ବୋଲି ଆଲୋଚନା ହେଉଛି ।
