
ଫୁଲବାଣୀ : କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ମାମଲାରେ ବିଗତ ଦିନରେ ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ଏବଂ ସାତଦିନ ପରେ ଘଣ୍ଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ମଧ୍ୟ ସମସ୍ତ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଆଶନ୍ତା କାଲି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ଆଜି ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ସୁଚନା ଦେବା ସହ ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ପନ୍ଦର ଗୋଟି ପ୍ରଶ୍ନ ପଚାରିଛନ୍ତି । ରାଙ୍ଗାପାରୁ ଆଶ୍ରମ ଛାତ୍ରୀ ଘଟଣା ପରେ ଫୁଲବାଣୀ ସ୍ଥିତ ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ଯରେ ସବ ବ୍ୟବଛେଦ ନକରି ଘଟଣାକୁ ଚାପିଦେବା ପାଇଁ ପ୍ରଶାସନ କରିଥିବା ଯୋଜନା ଉପରେ କଡା ସମାଲୋଚନା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ପଚରା ଯାଇଛି ଯେ ଯେତେବେଳେ ଛାତ୍ରୀଟି ଗର୍ଭବତୀ ଅଛି ବୋଲି ଜଣାପଡିଥିଲା ସେତେବେଳେ ପ୍ରଶାସନ ନିଜ ଜିମାରେ ଆଣି କାହିଁକି ଅବ୍ୟବସ୍ଥା ଘେରରେ ଥିବା ଗୋଟେ ସେବା ସଦନରେ ପକାଇ ରଖିଲା ? ଘଟଣାକୁ ଲୁଚାଇବା ପାଇଁ ସମୟ ପୂର୍ବରୁ ଗର୍ଭପାତ ପାଇଁ କୌଣସି ଅନାବଶ୍ୟକ ମେଡିସିନ ଦିଆଯାଇଥିଲା କି ? ଛାତ୍ରୀ ଟି କଷ୍ଟରେ ଛଟପଟ ହେଉଥିବାବେଳେ କାହିଁକି ଦିର୍ଘ ସମୟ ଯାଏ ଡାକ୍ତରଖାନାକୁ ନନେଇ ପକାଇ ରଖାଯାଇଥିଲା ? ବହୁ ବିଲମ୍ଭରେ ଡାକ୍ତରଖାନାକୁ ନେବା ଏବଂ ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନଥିବା କାରଣରୁ ସ୍ବାସ୍ଥ୍ୟ ସେବା ନପାଇ ଜନ୍ମ ହୋଇଥିବା ଶିଶୁଟିର ମୃତ୍ୟୁ ହେଲା କି ? ଶିଶୁ ଟି ଜନ୍ମ ହୋଇ ମୃତ୍ୟୁ ହେବା ପରେ ଯେହେତୁ ସେହି ଡାକ୍ତରଖାନାରେ କୌଣସି ସୁବିଧା ନଥିଲା କାହିଁକି ଅନ୍ୟ ବଡ ଡାକ୍ତରଖାନାକୁ ନିଆଗଲା ନାହିଁ ଏବଂ ଆହୁରି ଦେଢ ଦିନ ଯାଏ ସେଠାରେ ପକାଇ ରଖି ଛାତ୍ରୀ ଟିକୁ ମାରି ଦିଆଗଲା ?ପ୍ରଶାସନ ଘଟଣାକୁ ଲୁଚାଇ ଦେବା ପାଇଁ ଛାତ୍ରୀ ଟିକୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲେ ନାହିଁ କି ? ଏଠାରେ ଦାୟିତ୍ଵରେ ଥିବା ପ୍ରଶାସନିକ ଅଧିକାରୀ, ସେବା ସଦନର ଅଧିକାରୀ ଓ ଏହି ଯୋଜନାରେ ସାମିଲ ଥିବା ଡ଼ାକ୍ତରଙ୍କ ଉପରେ କାହିଁକି ୩୦୪ ଦଫା ଲଗାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ?ସ୍କୁଲରେ ଥିବା ହେଡମାଷ୍ଟରଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଏତେବଡ଼ ଘଟଣା ଘଟିଥିବାବେଳେ କାହିଁକି ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏବଂ ତାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କାହିଁକି କରୁନାହିଁ ?ସେହି ଆଶ୍ରମରେ ନିଜ ସାଙ୍ଗ ସାଥି ଧରି ଡେରା ପକାଉଥିବା ସମ୍ପୃକ୍ତ ଠିକାଦାର ଯିଏକି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଅତି ଘନିଷ୍ଠ ଲୋକ ଏବଂ ବିଜୁ ଜନତା ଦଳର ଜଣେ ଆଗ ଧାଡିର ନେତା ତେଣୁ ବିଧାୟକ ଓ ସାଂସଦଙ୍କ ଚାପ ଜିଲ୍ଲାପାଳଙ୍କ ଉପରେ ରହୁଥିବା ଯୋଗୁଁ ଘଟଣାକୁ ଘଣ୍ଟ ଘୋଡାଇ ଦେବାପାଇଁ ଜିଲ୍ଲାପାଳ ଚେଷ୍ଟା କରୁଛନ୍ତି କି ?
ଘଟଣାରେ ନିରିହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରକୃତରେ ଦୋଷୀ ଥିବା ବଡ ବଡ ଅଧିକାରୀଙ୍କୁ କାହିଁକି ଜିଲ୍ଲାପାଳ ଘଣ୍ଟ ଘୋଡାଉଛନ୍ତି ଏହାର ଉତ୍ତର ରଖିବେ କି ? ଏହିପରି ୧୫ଟି ପ୍ରଶ୍ନ ପଚରାଯାଇଥିଲା ଏବଂ ଜିଳ୍ଲାପାଳ ଲୋକ ଲୋଚନକୁ ଆସି ଏହାର ଉତ୍ତର ରଖନ୍ତୁ ଏବଂ ସମସ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେତେଦିନ ଯାଏ ଉଚିତ୍ ନ୍ୟାୟ ନମିଳିଛି ସେତେଦିନ ଯାଏ ଅର୍ଥାତ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଆଶନ୍ତା କାଲି ଠାରୁ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ଏହି ସମ୍ମିଳନୀକୁ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ( ଟିକୁ ) ପରିଚାଳନା କରିଥିବା ବେଳେ ବରିଷ୍ଠ ନେତା ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଏବଂ ଫିରିଙ୍ଗିଆ ଯୁବମୋର୍ଚ୍ଚା ସଭାପତି ସୁଶୀଳ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।ଫୁଲବାଣୀ ନଗର ଯୁବମୋର୍ଚା ସଭାପତି ଅରବିନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ