
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସୀମାନ୍ତର ପ୍ରାୟ ୩ଟି ପଞ୍ଚାୟତ ବାସୀଙ୍କୁ ଗମନାଗମନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ଥାନାରେ ଏତଲା ଦେବାକୁ ହଟହଟ୍ଟା ହେବାକୁ ପଡୁଛି। ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୧୧୨ ଟି ଗ୍ରାମରେ ଗମନାଗମନ ସମସ୍ୟା ଲାଗି ରହିଛି ।
୨୪ଟି ପଞ୍ଚାୟତକୁ ନେଇ ଗଠିତ ଫିରିଙ୍ଗିଆ ବ୍ଳକ ବାସୀଙ୍କ ସୁବିଧା ପାଇଁ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ରହିଛି। ଗୋଛାପଡ଼ା ଥାନା ଉପରେ ବାଲନ୍ଦାପଡ଼ା, ଲୁଇସିଂ, ପାହିରାଜୁ, କୋଏରମାଣ୍ଡୁ, ପକାରୀ, କ୍ରାଣ୍ଡିବାଲି, ସଲା ଗୁଡା, ଓ ପଲାବୁଡି ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି l ଏହି ସବୁ ପଞ୍ଚାୟତର ଗ୍ରାମଗୁଡ଼ିକ ମଧ୍ୟରୁ କେତେକ ବୌଦ୍ଧ ଜିଲ୍ଲା ନିକଟରେ ରହିଥିବା ବେଳେ ଆଉ କେତେକ ମନମୁଣ୍ଡା, ବାଲିଗୁଡ଼ା, କ.ନୂଆଗାଁ ବ୍ଲକ ନିକଟରେ ରହିଛି । ଏହିସବୁ ଅଞ୍ଚଳବାସୀ ଗୋଛାପଡ଼ା ଥାନା ଉପରେ ନିର୍ଭରଶୀଳ ।ଲୋକଙ୍କ ସୁବିଧା ପାଇଁ ବାଲନ୍ଦାପଡ଼ାରେ ଏକ ଫାଣ୍ଡି ମଧ୍ୟ ପ୍ରତିଷ୍ଠା କରାଯାଇଛି। ତେବେ ଉପରୋକ୍ତ ପଞ୍ଚାୟତ ଗୁଡ଼ିକ ମଧ୍ୟରେ ଅଧିକାଂଶ ପଞ୍ଚାୟତ ମାଓପ୍ରବଣ। ବିଗତ ଦିନରେ ମାଓବାଦୀଙ୍କ ଉପଦ୍ରବ କାରଣରୁ ଦୀର୍ଘଦିନ ଧରି ବାଲନ୍ଦାପଡ଼ା ଫାଣ୍ଡିରେ ତାଲା ପଡ଼ିଥିଲା । ତେବେ ବର୍ତ୍ତମାନ ଫାଣ୍ଡି ଖୋଲିଥିଲେ ମଧ୍ୟ ସମସ୍ତ କାର୍ଯ୍ୟ ଗୋଛାପଡ଼ା ଥାନାରେ ହିଁ ହେଉଛି । ଗୋଛାପଡ଼ା ଥାନାଠାରୁ । ଏହି ସବୁ ପଞ୍ଚାୟତଗୁଡ଼ିକ ମଧ୍ୟରୁ ପ୍ରାୟ ୨୭ କିଲୋମିଟର ଦୂରରେ ପାହିରାଡୁ ପଞ୍ଚାୟତ ରହିଥିବା ବେଳେ କୁଏର ମାଣ୍ଡୁ ପଞ୍ଚାୟତ ୨୨ କିଲୋମିଟର ଦୂରରେ, ଲୁଇସିଂ ପଞ୍ଚାୟତ ୧୭, ବାଲନ୍ଦାପଡ଼ା ୧୨ କିଲୋମିଟର ଓ ଅନ୍ୟ ପଞ୍ଚାୟତ ୧୦ କିଲୋ ମିଟର ଦୂରରେ ରହିଛି। ଥାନାଠାରୁ ଦୂରରେ ଥିବା ଲୁଇସିଂ, ପାହିରାଜୁ ଓ କୁଏରମାଣ୍ଡୁ ପଞ୍ଚାୟତବାସୀ ସାମାନ୍ୟ ଏତଲାଟିଏ ଦେବା ପାଇଁ ରାତି ଉଜାଗର ରହିବାକୁ ପଡୁଛି। ପଞ୍ଚାୟତ ମୁଖ୍ୟଳୟଠାରୁ ବହୁ ଦୂରରେ ଥିବା ମାଲାକେରି, ବାରାହାଲା, ମୁଟାକି, ଡୁମୁରିଗାଟା ଭଳି ଅନେକ ଗ୍ରାମବାସୀ ନିଜ ନିଜ ପଞ୍ଚାୟତ ମୁଖ୍ୟାଳୟରେ ପହଞ୍ଚିବାକୁ ହେଲେ ସେମାନଙ୍କୁ ବିଳମ୍ବିତ ରାତିରେ ନିଜ ନିଜ ଗ୍ରାମରୁ ଚାଲି ଚାଲି ଯିବାକୁ ପଡୁଛି। ଉପରୋକ୍ତ ଗ୍ରାମଗୁଡ଼ିକୁ ଗମନାଗମନ ସୁବିଧା ନଥିବାରୁ ବାଧ୍ୟ ହୋଇ ସେମାନେ ରାତିରୁ ଦଳଦଳ ହୋଇ ଚାଲି ଚାଲି ପଞ୍ଚାଯତ ମୁଖ୍ୟାଳୟରେ ପହଞ୍ଚିଥାନ୍ତି। ସକାଳୁ ସକାଳୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ସେମାନେ ପଞ୍ଚାୟତ ମୁଖ୍ୟାଳୟରେ ନପହଞ୍ଚିବେ ତାହାହେଲେ ପରବର୍ତ୍ତୀ ସମୟରେ ସେମାନେ ପଞ୍ଚାୟତ ମୁଖ୍ୟାଳୟରୁ ଗୋଛାପଡ଼ାକୁ ଯିବା ସମ୍ଭବପର ହୋଇନଥାଏ। ତେଣୁ ବାଧ୍ୟ ହୋଇ ସେମାନେ ଉଜାଗର ରହି ସକାଳୁ ସକାଳୁ ନିଜ ନିଜ ପଞ୍ଚାୟତ ମୁଖ୍ୟାଳୟରେ ପହଞ୍ଚିବା ପରେ ଏକ ମାତ୍ର ସରକାରୀ ଗାଡ଼ି ଓ କିମ୍ବା କୌଣସି ଅଟୋ ଦ୍ବାରା ପହଞ୍ଚିଥାନ୍ତି ଗୋଛାପଡ଼ା ଥାନାରେ। ଥାନା କାମ ସାରି ଠିକଣା ସମୟରେ ପଞ୍ଚାୟତ ମୁଖ୍ୟାଳୟରେ ନପହଞ୍ଚିଲେ ପୁଣି ସେହିଦିନ ସେମାନଙ୍କୁ
ରାତିରେ ହିଁ ଚାଲି ଚାଲି ଆବଡାଖାବଡା ରାସ୍ତାରେ ନିଜ ନିଜ ଗାଁକୁ ଯିବାକୁ ପଡୁଛି। ଲୋକଙ୍କ ସୁବିଧା ପାଇଁ ବାଳନ୍ଦାପଡ଼ା ଫାଣ୍ଡି ଖୋଲା ଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନି । ବର୍ଷ ବର୍ଷ ଧରି ଏହି ସବୁ ପଞ୍ଚାୟତବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ହେଁ ବାଇନ୍ଦାପଡ଼ା ଫାଣ୍ଡିକୁ ଥାନାରେ ପରିଣତ କରାଯିବାକୁ ଧ୍ୟାନ ଦିଆଯାଉନି । ଜିଲ୍ଲା ଓ ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଆଦିବାସୀ ନେତା ତଥା ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର, ସରପଞ୍ଚ ମାଧବ କହଁର, କେଶବ କହଁର, ନିରାକର ନାଯକ, ପଞ୍ଚାନନ ଦିଗାଲ ଓ ପଞ୍ଚାନନ ନାୟକ ଦାବି କରିଛନ୍ତି ।