ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ

Independence

ବରଗଡ ୧୧/୧୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବିଗତ ୩ ଦିନ ଧରି ଜାରି ଥିବା କଳାକାର ଚୟନ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ୭ ଜଣ ବିଚାରକଙ୍କ ମାର୍କିଂ ଭିତ୍ତିରେ ବିଳମ୍ବିତ ରାତିରେ ନୂଆ କଳାକାର ତାଲିକା ଘୋଷଣା କରାଯାଇଛି । ହୀରକ ଜୟନ୍ତୀ ଧନୁଯାତ୍ରା ସମେତ ଆସନ୍ତା ୩ ବର୍ଷ ପାଇଁ ବରିଷ୍ଠ ମଞ୍ଚ କଳାକାର ହୃଷୀକେଶ ଭୋଇ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି ।

ଏନେଇ ଜିଲ୍ଲା ସଭାକକ୍ଷରେ ଗୁରୁବାର ପ୍ରେସ୍‌ମିଟ୍‌କୁ ସମ୍ବୋଧିିତ କରି କଳାକାର ଚୟନ କମିଟି ଆବାହକ ତଥା ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଓ ଯୁଗ୍ମ ସମ୍ପାଦକ ତଥା ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ଦାଶ କଂସ ସମେତ ୧୧ଟି ଭୂମିକା ପାଇଁ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ ।

କଂସ ଭୂମିକା ପାଇଁ ଶ୍ରୀ ଭୋଇଙ୍କ ଉପରେ ବିଚାରକ ମଣ୍ଡଳୀ ଆସ୍ଥା ପ୍ରକଟ କରିଛନ୍ତି । ମହାମନ୍ତ୍ରୀ ଭୂମିକାରେ ଗୋଲାପ ଚନ୍ଦ୍ର ଦାଶ, ସାତ୍ତ୍ୟକୀ ଭୂମିକାରେ ସେବାନନ୍ଦ ନାୟକ, ସେନାପତି ଭୂମିକାରେ ଦୟାନନ୍ଦ ମାଝି, ଚାଣୁର ଭୂମିକାରେ ମୁନେଶ କୁମାର ଆଚାର୍ଯ୍ୟ, ମୁଷ୍ଟିକ ଭୂମିକାରେ ସୂର୍ଯ୍ୟପ୍ରକାଶ କର୍ଣ୍ଣ, ଦେବକୀ ଭୂମିକାରେ କନକ ଡନସେନା ଚୌଧୁରୀ, ବସୁଦେବ ଭୂମିକାରେ ମନୋଜ କୁମାର ସାହୁ, ଉଗ୍ରସେନ ଭୂମିକାରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ମନୋନୟନ କରାଯାଇଛି ।

ତେବେ ଅକ୍ରୂର ଓ ନାରଦ ଭୂମିକାରେ ଜଣେ କଳାକାର ଜଗନ୍ନାଥ ସାହୁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କ ମତାମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବାକୁ କମିଟି ସ୍ପଷ୍ଟ କରିଛି । ଶ୍ରୀ ସାହୁ ଗୋଟିଏ ଭୂମିକା ନେଲା ପରେ ଅବଶିଷ୍ଟ ଭୂମିକାର ଅଡିସନରେ ଦ୍ୱିତୀୟ ସ୍ଥାନରେ ଥିବା କଳାକାରଙ୍କୁ ସେହି ଭୂମିକା ଭାର ନ୍ୟସ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଚୟନ କମିଟି ଆବାହକ ଏଡିଏମ୍‌ ଶ୍ରୀ ଟପ୍ପୋ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିଛି । ଏଥିସକାଶେ ପ୍ରସ୍ତୁତି ଚୂଡ଼ାନ୍ତ ହେବାରେ ଲାଗିଛି । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଚରିତ୍ରଗୁଡ଼ିକ ପାଇଁ ଗତ ୭,୯ ଓ ୧୦ ତାରିଖ ଚୟନ ପ୍ରକ୍ରିୟା କରାଯାଇଥିଲା । ମୋଟ ଆବେଦିତ ୫୬ ଜଣ କଳାକାରଙ୍କ ମଧ୍ୟରୁ ୪ ଜଣ ଉପସ୍ଥିତି ଜାହିର କରିଥିବା ବେଳେ କଂସ ଭୂମିକା ପାଇଁ ଅନୁଷ୍ଠିତ ଚୟନ ଓ ସାକ୍ଷାତକାର ପ୍ରକ୍ରିୟାରେ ୪୨ ଜଣ ଭାଗ ନେଇଥିଲେ ।

ତନ୍ମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଦୀର୍ଘ ୯ ବର୍ଷ ଧରି କଂସ ଭୂମିକାରେ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିସାରିଥିବା ଅଭିଜ୍ଞ କଳାକାର ହୃଷୀକେଶ ଭୋଇ ବାଜି ମାରିନେଇଛନ୍ତି । ଏହା ପୂର୍ବରୁ ୨୦୦୯ରୁ ୨୦୧୭ କଂସ ଭୂମିକାରେ ଅଭିନୟ କରିଛନ୍ତି ।

ଗୁରୁବାର ଏହି ଚୟନ ପ୍ରକ୍ରିୟାକୁ ଧନୁଯାତ୍ରା ମହୋତ୍ସବ କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ସଂଯୋଜନା କରିଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଡନସେନାଙ୍କ ସମେତ ଭାଗୀରଥି ପ୍ରଧାନ, ଚିତ୍ତରଞ୍ଜନ ମହାପାତ୍ର, ରିଙ୍କୁ ପଟ୍ଟନାୟକ ଏବଂ ପୌର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ଉପବିଷ୍ଟ ବରିଷ୍ଠ ନାଟ୍ୟକାର ଦେବଗଡ଼ର ହେମନ୍ତ ମହାପାତ୍ର, ବଲାଙ୍ଗିରର ଜମାଲ ଖାନ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, କଳାହାଣ୍ଡିର ପ୍ରଦୀପ ଡି ମାଝୀ, ବରଗଡ଼ର ଲିଟୁ ମହାନ୍ତି, ପଦ୍ମପୁରର ଅଶୋକ ବହିଦାର, ବିଜେପୁରର ଶିବଲାଲ ସାଗରଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ କଳାକାରଙ୍କ ଡାଇଲଗ ଡେଲିଭରି, ବେଶ ପୋଷାକ, କେଶ ବିନ୍ୟାସ ଆଦି ଉପରେ ବିଚାର କରି ନିଜ ତରଫରୁ ହରିବଂଶ ପୁରାଣର ବିଭିନ୍ନ ଅଂଶ ଉପରେ ଅଭିନୟ ବା ଏକକ ଅଭିନୟ ପରୀକ୍ଷା ସହ ସାକ୍ଷାତକାର ନେଇ ଚୟନ କାର୍ଯ୍ୟ ସମ୍ପାଦନ କରିଥିଲେ ।

ad-week
Leave A Reply

Your email address will not be published.