
ଦାରିଙ୍ଗବାଡ଼ି,୧୨/୧୧, ନିର୍ବାଚନ ସମୟର ଶତ୍ରୁତା ପହଂଚିଲା ଚରମ ସୀମାରେ । ପ୍ରଥମେ ରାଗ ସୁଝାଇବାକୁ ଯାଇ ହଳ କରି ତିଳା ଫସଲ ନଷ୍ଟ କରିଥିଲେ ଆଉ ଏବେ ଉକ୍ତ ଜମିରେ ଥିବା ଘରକୁ ସମ୍ପୂର୍ଣ ଭାଙ୍ଗି ଘରେ ଥିବା ସମସ୍ତ ଜିନିଷ ଲୁଟିନେଲେ ପ୍ରତିବାଦୀ ଗୋଷ୍ଟି ।ଏନେଇ ଘର ମାଲିକ ସୁକଦେଵ ପ୍ରଧାନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁକଦେଵଙ୍କ ଅଭିଯୋଗ ପ୍ରକାରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସିମନବାଡ଼ି ପଞ୍ଚାୟତ ସ୍ଥିତ ସଲାବାଡ଼ି ଗ୍ରାମର ସୁକଦେଵ ପ୍ରଧାନ ସମେତ ତାଙ୍କ ଭାଇ ମାନେ ଦାରାମିଡିଆ ଜମିରେ ବାପା,ଜେଜେ ଅମଳରୁ ବିଭିନ୍ନ ପ୍ରକାର ଫସଲ ଚାଷ କରିଆସୁଛନ୍ତି । ହେଲେ ଉକ୍ତ ପ୍ରତିବାଦୀ ଗୋଷ୍ଟି ସେପ୍ଟେମ୍ବର ମାସରେ ରାଜନୈତିକ ଶତ୍ରୁତା ରଖି ପ୍ରତିବାଦୀ ଗୋଷ୍ଟି ର ଲୋକ ପ୍ରାୟ ୭ ଏକର ରୁ ଊର୍ଦ୍ଧ୍ବ ଜମିରେ ତିଳା ଚାଷ ହଳ କରି ନଷ୍ଟ କରିଦେଇଥିଲେ । ଏନେଇ ଶୁକଦେବ ପ୍ରଧାନଙ୍କ ଭାଇ ସୁକାନ୍ତ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଗୋଟିଏ ମାମଲା ରୁଜୁ ହେବାର ୨ ମାସ ନହେଉଣୁ ଗୁରୁବାର ଦିନ ବିଳମ୍ବିତ ରାତିରେ ଉକ୍ତ ଗୋଷ୍ଟି ଲୋକ ପୁଣି ଉକ୍ତ ଜମିରେ ହୋଇଥିବା ଏକ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି କାଠ,ଆଜବେଷ୍ଟ,କବାଟ ସହ ଘର ମଧ୍ୟରେ ଥିବା ହଳଦୀ ସିଝା ହଣ୍ଡା ୨ଟି, ୨ଟି ଲଙ୍ଗଳ ଓ ଜୁଆଳି,୨ଟି ପ୍ଲାଷ୍ଟିକ ଡ୍ରମ,ବାଲଟି,ଶାବଳ,କୁଡ଼ି,ଦାଆ,ଟାଙ୍ଗିଆ,ଚାଉଳ,ଡାଲି,ପନିପରିବା ସମେତ ଅନେକ କିଛି ଜିନିଷ ଲୁଟିନେଇଥିବା ଶୁକଦେବ ପ୍ରଧାନ ଥାନାରେ ଅଭିଯୋଗ ଦେଇଛନ୍ତି । ଏଭଳି ଭାଵରେ ଦିନ କୁ ଦିନ ହିଂସା ବୃଦ୍ଧି ହେଉଛି । ଏପରିକି ପ୍ରତିବାଦୀ ଗୋଷ୍ଟି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବେଳେ ଶୁକଦେବଙ୍କ ପରିବାର ପ୍ରତି ବିପଦ ରହିଥିବା ଶୁକଦେବ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏଏସଆଇ ରାଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ପୋଲିସ ବିଭାଗ ଗୁରୁତର ଭାବେ ଗ୍ରହଣ କରି ଶୁକଦେବଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି । ନିର୍ବାଚନ ସରିବା ୧୦ ମାସ ପରେ ବି ଶତ୍ରୁତା ରଖି ଘର ଭାଙ୍ଗିବା,ଫସଲ ନଷ୍ଟ କରି ଜୀବନରେ ମାରିଦେବା ଧମକ ଦେବା କେତେ ଦୂର ଠିକ ବୋଲି ସୁକଦେଵ ପ୍ରଶ୍ନ କରିଛନ୍ତି ।