
ଦାରିଙ୍ଗବାଡ଼ି, ୧୫/୧୧ : ଦାରିଙ୍ଗବାଡ଼ି ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଜାଗୃତିର ୪୧ ତମ ସ୍ବନକ୍ଷତ୍ର ଉତ୍ସବ ଆଜି ପାଳନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର ,ବିଇଓ ରସାନନ୍ଦ କର,ଜାଗୃତି ସଭାପତି ଡ଼ଃ ପି.ଏସ.ଏନ ରାଓ,ଉପସଭାପତି ମର୍ସି ଆଲବର୍ଟ,ସ୍ୱାତି ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତ,ଅଶୋକ ପରିଡା,ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ମଞ୍ଚ ପରିଚାଳନା କରିଥିଲେ । ଜାଗୃତି ଅନୁଷ୍ଠାନ ୧୯୮୨ ମସିହା ନଭେମ୍ବର ୧୫ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବା ପର ଠାରୁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସମେତ ଅନ୍ୟ ବ୍ଲକ ଅଂଚଳର ଉପାନ୍ତ ଅଂଚଳ ଗୁଡିକରେ ଗୋଷ୍ଟି ଭିତିକ ଶିକ୍ଷା, ସ୍ୱାସ୍ଥ୍ୟ, ଲୋକ ସଂଗଠନ, ପ୍ରାକୃତିକ ସମ୍ବଳର ସୁବିନିଯୋଗ, ଅନ୍ଧବିଶ୍ୱାସ ଦୂରୀକରଣ, ଗ୍ରାମାଞ୍ଚଳରେ ରାଜନୈତିକ ସଚେତନ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତଙ୍କୁ ସହଯୋଗ,ନିଶାନିବାରଣ ,କୋରନା ସମୟରେ ଜନସଚେତନତା ଭଳି ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଥିବା ନେଇ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଲୋକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା ।