ମାରମାର ଭଣ୍ଡାରୀଆକୁ ମାର ନୀତି ଆପଣାଇଲା ବନ ବିଭାଗ, ହାତୀ ମୃତ୍ୟୁ ମାମଲାରେ ଫରେଷ୍ଟ ଗାର୍ଡ ନିଲମ୍ବିତ

add-all

ବୁଗୁଡ଼ା : ବୁଗୁଡ଼ା ନିକଟସ୍ଥ ବେଲପଡା ଠାରେ ବିଦ୍ୟୁତ ଫାସରେ ଲାଗି ହାତୀ ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି l ନିଲମ୍ବିତ ଗାର୍ଡ ହେଲେ କୃଷ୍ଣ ଗୌଡ଼ l କୃଷ୍ଣ ଜିଲିଭା ସହ ବଣପଲ୍ଲୀ ବିଟର ଅତିରିକ୍ତ ଦାୟିତ୍ୱ ତୁଲାଉ ଥିଲେ l ଗତ ୧୩ ତାରିଖ ସକାଳେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଧାନ କିଆରୀରୁ ବିଦ୍ଯୁତ୍ ଫାସରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍ଥାନୀୟ ବନ ବିଭାଗର ଉଦାସୀନତା ପଦାରେ ପଡିଯାଇଥିଲା । ପୂର୍ବରୁ ବାରହା ଫାସରେ ପଡିଥିବା ବାଘ ମୃତ୍ୟୁର ଅପବାଦ ବନ ବିଭାଗ ଉପରେ ରହିଥିବା ବେଳେ ଏବେ ହାତୀ ମୃତ୍ୟୁ ଅପବାଦରେ ପୁଣି ଛନ୍ଦି ହୋଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ମାର ମାର ଭଣ୍ଡାରୀଆକୁ ମାର ନୀତିରେ କେବଳ ଜଣେ ଗାର୍ଡଙ୍କୁ ନିଲମ୍ବନ କରି ଅଧିକାରୀମାନେ ନିଜ ମୁଣ୍ଡରୁ ଦୋଷ ଛଡାଇ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ପୂର୍ବରୁ ମିଳି ମିଶି ବନ୍ୟ ଜନ୍ତୁ ମାଂସ ଖାଉଥିଲେ ଏବେ ହାତୀ ମଲା ପରେ ଚେତା ପଶିଲା l ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ନେଇ ବ୍ୟବଛେଦ ରିପୋର୍ଟ ଆସିଲା ପରେ ତରବରିଆ ଭାବେ ବେଲପଡା ଗ୍ରାମର ୪ ଜଣଙ୍କୁ ଉଠାଇ ଆଣି ଗିରଫ ସହ କୋର୍ଟ ଚାଲାଣ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଧରି ନାହାନ୍ତି l ଗତ ଛାଡ଼ଖାଇ ଦିନ ଏହି ଶିକାରୀ ମାନେ ସାପୁଆ ଅଞ୍ଚଳରେ ବାରହା ଶିକାର କରି ଗାଁରେ ମାଂସ ବିକ୍ରି କରିଥିଲେ l ବନ କର୍ମଚାରୀ ଙ୍କ ସହ ହାତ ମିଳାଇ ଏମାନେ ନିର୍ଭୟରେ ଶିକାର କରି ଆସୁଥିଲେ l ଏବେ ହାତୀ ମଲା ପରେ ଆସ୍ତେ ଆସ୍ତେ ସବୁ ଗୁମର ଖୋଲିବାରେ ଲାଗିଛି l କିଛି ଦିନ ତଳେ ବନ୍ୟଜନ୍ତୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ହେଲେ ବନ ବିଭାଗ ପକେଟ ଗରମ କରି ସେମାନଙ୍କୁ ଛାଡି ଦେଇଥିଲା l ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ସ୍ଥାନୀୟ ବନ ବିଭାଗ ସଧାରଣରେ ବିଶ୍ବସନୀୟତା ହରାଇ ବସିଥିବା ନେଇ ଆଲୋଚନା ହେଉଛି ।

ad-week
Leave A Reply

Your email address will not be published.