
ଫୁଲବାଣୀ :- କନ୍ଧମାଳ ଜିଲାର ଏଭଳି ଏକ ଅପହଞ୍ଚ ଗ୍ରାମ ରହିଛି ଯେଉଁଠି ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ l ଏପରିକି ସର୍ବନିମ୍ନ ମୌଳିକ ସୁବିଧା ପାଇବାକୁ ହେଲେ ୧୦ କିମି ଦୂର ରାସ୍ତା ଚାଲି ଚାଲି ଆସିଲେ କିଛି ପରିମାଣରେ ମିଳୁଥିବା କହିଛନ୍ତି ଗ୍ରାମବାସୀ । ସେହି ଅପହଞ୍ଚ ଅଞ୍ଚଳ ହେଉଛି
ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତର ଲାଣ୍ଡାପାଜୁ ଗାଁ।ଲାଣ୍ଡାପାଜୁ ଗ୍ରାମରେ ପ୍ରାୟ ୫୦ ଘରର ଲୋକ ସଂଖ୍ୟା ୨୦୦ ଶହରୁ ଊର୍ଦ୍ଧ୍ବ ହେବ ।ବେହେରା ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୬ କି.ମି. ଦୂରରେ ଲାଣ୍ଡାପାଜୁ ଗ୍ରାମ। ଏହି ଗ୍ରାମ ଉପରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ବେହେରା ଗାଁ ଠାରୁ କିଛି ଦୂର ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଦ୍ୱାରା ରାସ୍ତାନିର୍ମାଣ ହୋଇ ପାରିଛି ଯାହାକି ଟକଲମେଂଢ଼ୀ ଗ୍ରାମର ସୀମା ପର୍ଯନ୍ତ l ତାପରେ ପାହାଡ ଏବଂ ନଦୀ ଅତିକ୍ରମ କରି ଗାଁକୁ ଯିବାକୁ ପଡେ। ପିଇବା ପାଣି କହଲେ ବିଲ ମଝିରେ ଥିବା ଚୁଆରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି ।ଅଧିକ ବର୍ଷା ହେଲେ ପାହାଡ଼ି ନଦୀର ସ୍ରୋତ ପ୍ରଖର ହୁଏ। ନଦୀ ପାର ହେବା ସମ୍ଭବ ହୁଏ ନାହିଁ ପାଣି କମିବା ଯାଏ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଖାଦ୍ୟ ସାମଗ୍ରୀ ମିଳେନାହିଁ ।ରାଶନ ସାମଗ୍ରୀ ଆଣିବାକୁ ହେଲେ ଗାଁରୁ ୧୮ କି.ମି. ଦୂର ଟିକାବାଲି ସହାରକୁ ଯିବାକୁ ପଡେ l ବର୍ଷା ଦିନେ କାହାର ଦେହ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଗର୍ଭବତୀମାନେ ମେଡିକାଲ ଯାଇପାରନ୍ତିନି। ଗ୍ରାମରେ ପ୍ରସବ ବେଳେ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ। କାରଣ ଗ୍ରାମକୁ ଆମ୍ବୁଲାକୁ ଯିବାକୁ ରାସ୍ତା ନାହିଁ । ଗାଁ ରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ। ନିକଟସ୍ଥ ସ୍କୁଲ କହିଲେ ୧୨ କି.ମି ଦୂରରେ ଥିବା ବେହେରା ଗାଁ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡେ l ସେହିପରି ଖରାଦିନେ ୫ କି.ମି. ଦୂର ନଦୀରୁ ପାଣି ଆଣିବାକୁ ପଡ଼େ ବୋଲି ଗ୍ରାମବାସୀ କହିଛନ୍ତି l ଏହିପରି ଅପହଞ୍ଚ ଇଲାକା
ଗ୍ରାମକୁ ଯାଇ ସେମାନଙ୍କୁ ଦେଖା କରିବା ସହ ସୁବିଧା ଅସୁବିଧା ଚଳଣି ରହଣି, ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପଚାରି ବୁଝିଥିଲେ ଜିଲ୍ଲା ଜଜ ତଥା ଅଧ୍ୟକ୍ଷଙ୍କ ନିର୍ଦ୍ଧେଶରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ କନ୍ଧମାଳ ଫୁଲବାଣୀର ସଚିବ ଅନୁଶୀଳା ରାୟଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଓ ଡିଏଲଏସ ର ପିଏଲଭି ଅଶୋକ ପ୍ରଧାନଙ୍କ ସମେତ
ଆଇ ଆଇ ସି ଟିକାବାଲି, ଚକାପାଦର ତହସିଲଦାର, ବିଡ଼ିଓ,ସ୍ୱାସ୍ଥ୍ୟ ବିଭାଗ,କୃଷି ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ l