
ବ୍ରହ୍ମପୁର : ଜିଲ୍ଲାସ୍ତରୀୟ ୩୦ତମ ଜାତୀୟ ବିଜ୍ଞାନ କଂଗ୍ରେସ ସ୍ଥାନୀୟ ସରକାରୀ କୁଇନ୍ ଅଫ୍ ଦ ମିଶନ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ସଂଯୋଜକ ଗୋକୁଳକୃଷ୍ଣ ପଣ୍ଡାଙ୍କ ସଂଯୋଜନାରେ ଏହି ୩୦ତମ ଜିଲ୍ଲାସ୍ତରୀୟ ପିଲାଙ୍କ ଜାତୀୟ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ମେଡ଼ିକାଲ କ୍ୟାମ୍ପସ୍ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡ. ପ୍ରଭାତୀ ମହାପାତ୍ର ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥାକୁ ଜାଣିବା ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ନୟାଗଡ଼ ଜିଲ୍ଲା ସୋଇପଟା ନୋଡ଼ାଲ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ର, ଇକୋ କ୍ଲବ୍ ସଂଯୋଜକ ତଥା ଖଣ୍ଡଦେଉଳି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଡ. ଶଙ୍କର ନାରାୟଣ ବେଜ, ନୟାଗଡ଼ ଜିଲ୍ଲା ପିଲାଙ୍କ ବିଜ୍ଞାନ କଂଗ୍ରେସ ଶୌକ୍ଷିକ ସଂଯୋଜକ ପୂର୍ଣ୍ଣିମା ତ୍ରିପାଠୀ, ସଚେତକ ସୌଦାମିନି ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୫ ଟି ପ୍ରକଳ୍ପର ପ୍ରଦର୍ଶିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା । ଏଥି ମଧ୍ୟରେ ଦିଗପହଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିୟାଶିଂ ସ୍ୱାଇଁ, ପୋଲସରା ଗୋପବନ୍ଧୁ ହାଇସ୍କୁଲର ସ୍ୱୟମ୍ ପ୍ରକାଶ ସାହୁ, ସୋନପୁର ପ୍ରଜେକ୍ଟ ବିଦ୍ୟାଳୟର ଲିସା ପ୍ରଧାନ, ମେଡ଼ିକାଲ କ୍ୟାମ୍ପସ ଉଚ୍ଚବିଦ୍ୟାଳୟର ଟପେନ୍ଦ୍ର ଡ଼ାକୁଆ, ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଲିପ୍ସାରାଣୀ ଗୌଡ଼ଙ୍କ ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି । ଏହି ଅବସରରେ ଗତ ବର୍ଷ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସାଈରତିକ୍ ଭରଦ୍ୱାଜ ଓ ତାଙ୍କ ଗାଇଡ଼୍ ଶିକ୍ଷୟିତ୍ରୀ ନେଲୁଫା ୱାସମିନ୍ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।