ଶିମିଳିପାଳ ହାତୀ ମୃତ୍ୟୁ ମାମଲା: ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

newyr25

କଟକ: ଶିମିଳିପାଳ ହାତୀ ମୃତ୍ୟୁ ମାମଲା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହେବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ପିସିସିଏଫ୍ ଓ ଜେଟିଏଫଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଏନେଇ କି ପ୍ରତିକାର ବ୍ୟବସ୍ଥା ହୋଇଛି, କଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସରକାରଙ୍କୁ ପଚାରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଶିମିଳିପାଳ ହାତୀ ଶିକାର ଘଟଣାରେ ବହିଷ୍କୃତ କର୍ମଚାରୀଙ୍କ ନାଁରେ କାହିଁକି ଏତଲା ହୋଇନି ବୋଲି ପ୍ରଶ୍ନ କରିଛନ୍ତି। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଚି।

ସୂଚନାଯୋଗ୍ୟ, ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ। ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନ କର୍ମଚାରୀମାନେ ମଲାହାତୀକୁ ପୋଡ଼ି ଦେହାବଶେଷକୁ ନଦୀରେ ଭସାଇ ଦେଲେ। ଶିମିଳିପାଳ ବନବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବକୁଆ ଗ୍ରାମବାସୀଙ୍କ ସୂଚନା ମୁତାବକ, ଜେନାବିଲ ରେଞ୍ଜରେ ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। ରେଞ୍ଜ୍ର କିଛି ବନ କର୍ମଚାରୀ ନିଜ ଦୋଷକୁ ଲୁଚାଇବା ପାଇଁ ହାତୀ ଭଳି ବିରାଟ ଜୀବର ମୃତଦେହକୁ ଗାଏବ କରିଦେବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ମୃତଦେହକୁ କୌଣସି ପ୍ରକାରେ ପୋଡ଼ି ଦେଇଥିଲେ। ବାକି ଯାହା ହାଡ଼ ଓ ଦେହାବଶେଷ ରହିଥିଲା, ତାକୁ ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏ ନେଇ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ଶନିବାର ଦିନ ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇଥିଲେ। ବହୁ ସମୟ ଧରି ଛାନ୍ଭିନ୍ ପରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ କରିବା ସହ ନଦୀରୁ କିଛି ହାଡ଼ ମଧ୍ୟ ଜବତ କରିଥିଲେ। ଏହି ସବୁ ହାଡ଼କୁ ବିଶେଷଜ୍ଞଙ୍କ ଦ୍ବାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଶ୍ରୀ ଗୌଡ଼। ଏଥିସହ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଓ ଦୁଇଜଣ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.