
ଫୁଲବାଣୀ :- ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବୃଦ୍ଧି ପାଉଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ଭର୍ଚୁଆଲ ବୈଠକ ବିପିନ ବିହାରୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି।ଜିଲ ସଭାପତି ଅଶୋକ ପରିଡାଙ୍କ ସହ ପ୍ରତି ବ୍ଲକର କର୍ମକର୍ତ୍ତା ମାନେ ଏହି ବୈଠକ ରେ ଭାଗ ନେଇଥିଲେ।ଦେଶରେ ପ୍ରାକୃତିକ ସମ୍ବଳ ସୀମିତ ଥିଲାବେଳେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଦେଶର ବିକାଶ ରେ ପ୍ରତିବନ୍ଧକ ସାଜିଛି।ବିକଶିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରିତ ରହିଥିବା ରୁ ଆଶାନୁରୂପ ବିକାଶ ଘଟୁଛି।ତେଣୁ ଆମ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଶକ୍ତ ଆଇନ ଆଣିବା ଆବଶ୍ୟକ।ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ନେଉଥିବା ପଦକ୍ଷେପ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମନେ ହୁଏ।ତେଣୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଦୁଇ ସନ୍ତାନ ନିୟମ ଲାଗୁ କରିବାକୁ ସଂସଦରେ ଏକ ଆଇନ ଆସିବା ଆବଶ୍ୟକ ବୋଲି ରାଜ୍ୟ ସଭାପତି ବିପିନ ବିହାରୀ ଦାସ ସୂଚନା ଦେଇଛନ୍ତି।ଖାଇନ ଉଲଂଘନ କାରୀକୁ ସରକାରୀ ଯୋଜନାରୁ ବଞ୍ଚିତ କରିବା ସହ ଦଶ ବର୍ଷ ଜେଲ ଦଣ୍ଡ ଓ ନାଗରିକତ୍ୱରୁ ବଞ୍ଚିତ କଲାଭଳି କଠୋର ଆଣିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଛି।ବହୁ ପତ୍ନୀ ରଖିବା ଓ ଆଠ ଦଶ ସନ୍ତାନ ଜନ୍ମ କରିବା ଦେଶ ର ଅର୍ଥନୀତି ଉପରେ ବୋଝ।ଏହା କାର୍ଯ୍ୟ କାରୀ ନ ହେଲେ ଆଗାମୀ ଦିନରେ ପ୍ରକୃତି ସମ୍ବଳ ଉପରେ କୁପ୍ରଭାବ ପଡିବ।ଏବେ ତ ବାସଡିହ ମିଳୁନାହିଁ, ପରିବେଶ ପ୍ରଦୂଷଣ ବଢୁଛି,ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ନିଯୁକ୍ତି ଯୋଗାଇବା ସରକାର ଙ୍କ ପକ୍ଷରେ ସମ୍ଭବ ହେଉନାହିଁ।ଅଧିକ ଶିଶୁ ଜନ୍ମ ହେଉଥିବା ରୁ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମୁତ୍ୟୁ ଓ ମାତୃମୂତ୍ୟୁ ବୃଦ୍ଧି ପାଉଥିବା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଜିଲା ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ।ଅସାମାଜିକ କାର୍ଯ୍ୟ ସମାଜରେ ବୃଦ୍ଧି ହେଉଛି।ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ଏକ କଠୋର ସଶକ୍ତ ଜନସଂଖ୍ୟା ଆଇନ ଆଣିବାକୁ ସରକାରଙ୍କୁ ଦାବୀ କରିବା।