
ବୁଗୁଡ଼ା : ତା ୨୭/୧୨/୨୨ : ସଂପ୍ରତି ବୁଗୁଡା ବନାଞ୍ଚଳରେ ଶିକାରୀ ଓ କାଠ ମାଫିଆଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇଥିବା ବେଳେ ସୋମବାର ଦିନ ବନାଞ୍ଚଳ ଅନ୍ତର୍ଗତ ଗୋଲିଆ ଗ୍ରାମ ନିକଟରୁ ଆମ୍ବ କାଠ ଗଣ୍ଡି ବୋଝେଇ ଏକ ନମ୍ବର ବିଭିନ ଟ୍ରାକ୍ଟରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ସାଢେ ୬ଟା ବେଳେ କାଠ ଗଣ୍ଡି ବୋଝେଇ ଟ୍ରାକ୍ଟରଟି କେଉଁ ଆଡେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଡିଭିଜନ ମୋବାଇଲ ସ୍କ୍ୱାଡ଼, ବନରକ୍ଷୀ ସୁବ୍ରତ କୁମାର ତ୍ରିପାଠୀ, କ୍ଷୀରୋଦ କୁମାର ଗୌଡ଼, ଲକ୍ଷ୍ମୀପ୍ରିୟା ଦଳବେହେରା, ସୂର୍ଯ୍ୟମଣି ସେଠୀ ଓ ପାରାଫରେଷ୍ଟର କର୍ମଚାରୀ ବୃନ୍ଦ ଗୋଲିଆ ଗାଁର କୋଇଲୁଣ୍ଡି ଛକରେ ଚଢ଼ାଉ କରିବା ପୂର୍ବରୁ କାଠ ମାଫିଆମାନେ କାଠ ଗଣ୍ଡି ବୋଝେଇ ଟ୍ରାକ୍ଟରଟିକୁ ଛାଡି କେଉଁ ଆଡେ ଉଭାନ୍ ହୋଇଯାଇଥିଲେ । ଫଳରେ ବନ ବିଭାଗ ବାଧ୍ୟ ହୋଇ ୫୬ ଘନଫୁଟ ପରିମାଣର ୧୧ ଖଣ୍ଡ ଆମ୍ବ କାଠ ଗଣ୍ଡି ବୋଝେଇ ଟ୍ରାକ୍ଟରଟିକୁ ଜବତ କରିଥିଲେ । ଏନେଇ କେସ୍ ନଂ ୨୦/୨୦୨୨-୨୩ରେ ଏକ ମାମଲା ରୁଜୁ କରାଯାଇଥିବା ବୁଗୁଡ଼ା ବନାଞ୍ଚଳ ଅଧିକାରୀଙ୍କଠାରୁ ପ୍ରକାଶ ପାଇଛି । ତେବେ ବୁଗୁଡ଼ା ବନାଞ୍ଚଳରେ ରୀତିମତ ଭାବେ ବନ୍ଯ ଜନ୍ତୁ ଶିକାର ସାଙ୍ଗକୁ ମୂଲ୍ଯବାନ କାଠ ଚୋରା ଚାଲାଣ ହେଉଥିବା ବେଳେ ଆଜି କିଭଳି ଏହା ବନ ବିଭାଗ ହାବୁଡରେ ପଡିଲା ତାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।