ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ସ୍ବାଗତ…

add-all

ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ମହାସମାରୋହର ସହିତ ସ୍ବାଗତ କରିବା ପରେ ସହର ପରିକ୍ରମା କରାଇବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗତକାଲି ଖଜୁରୀପଡ଼ା ଠାରେ ବ୍ଲକ ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧ୍, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ ସଦସ୍ୟା ମାନେ ଏହିଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ସ୍ବାଗତ କରିଥିଲେ । ପରେ ପରେ, ଟ୍ରଫି ଫୁଲବାଣୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସର୍କିଟ ହାଉସ୍ ପରିସରରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆ ଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟ ତଥା ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି ଟ୍ରଫିକୁ ସ୍ବାଗତ କରିବା ଉପଲକ୍ଷେ କରୋନେସନ ପଡ଼ିଆରେ ଥିବା ମଞ୍ଚରେ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାର୍ବଜନୀନ ଶୋ ଏବଂ ଫଟୋ-ଅପ୍, ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମମାନଆୟୋଜନ କରାଯାଇଥିଲା।ସେହିପରି, ଆଜି ସକାଳ ୭ ଘଣ୍ଟା ସମୟରେ ଏହି ଟ୍ରଫିକୁ ଜଗନ୍ନାଥ ମନ୍ଦିର ସମ୍ମୁଖକୁ ନିଆଯାଇଥିଲା ଏବଂ ସେଠାରେ ସାର୍ବଜନୀନ ଶୋ ଏବଂ ଫଟୋ-ଅପ୍ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା। ଠିକ୍ ସେହି ସମୟରେ କନ୍ଧମାଳ ଷ୍ଟାଡିୟମରୁ ପ୍ରାୟ୫ଶହରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ବାହାରିଥିବା ମିନି ମାରାଥନକୁ ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଟ୍ରଫି ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଫୁଲବାଣୀ ମୁଖ୍ୟ ବଜାର, ମାଦିକୁଦା ଛକ, ମହିଳା ମହାବିଦ୍ୟାଳୟ, ଗାନ୍ଧି ଛକ, ଡି.ଆର୍.ଡି.ଏ. ଛକ ଦେଇ କରୋନେସନ ପଡ଼ିଆରେ ପହଞ୍ଚିଥିଲା। ପୋଲିସ ବ୍ୟାଣ୍ଡ ଓ ପୋଲିସ୍ କଣ୍ଟିଜେଣ୍ଟ, ଏନ୍.ସି.ସି.,ସ୍କାଉଟ୍, ଏନ୍.ଏସ୍.ଏସ୍. ଛାତ୍ରଛାତ୍ରୀ, ଟିମ୍ ହ୍ୟୁମାନିଟି, ଯୁଥ୍ ଫର୍ ଚେଞ୍ଜ୍, ଫୁଲବାଣୀ କ୍ଲବ୍, ପ୍ରେସ୍ କ୍ଲବ୍, ବାର୍ ଆସୋସିଏସନ୍, ନେତାଜୀ କ୍ଲବ୍, କିନ୍ନର ଆସୋସିଏସନ୍, ଘରୋଇ ଅଟୋ ଆସୋସିଏସନ୍, ଓଡ଼ିଶା ଡ୍ରାଇଭର ମହାସଂଘ, ବସ୍ ମାଲିକ ତଥା କର୍ମଚାରୀ ଆସୋସିଏସନ୍ , ବଣିକ ସଂଘ ଭଳି ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟ ଏବଂ ସାଧାରଣ ଜନତା ମିଶି ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏହି ରୋଡ଼ ସୋ ରେ ଅଂଶ ଗ୍ରହଣ କରିଥିଲେ। ଏହି ରୋଡ଼ ସୋ’ର ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ପାଇଁ ଏବଂ ଏହାକୁ ଅଧିକ ରଙ୍ଗୀନ କରିବାପାଇଁ ଆଠ ଗୋଟି ସାଂସ୍କୃତିକ ଦଳ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କରିଥିଲେ। କରୋନେସନ ପଡ଼ିଆରେ ଟ୍ରଫି ପହଞ୍ଚିବା ପରେ ସେଠାରେ ଥିବା ମଞ୍ଚରେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଏସ.ଡି.ସି.ଚେୟାରମ୍ୟାନ ରୋଦନ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍, ଭାରତୀୟ ମହିଳା ପ୍ରିଣ୍ଟ, ଆଥ୍‌ଲେଟ୍‌ ସୁଶ୍ରୀ ଶ୍ରାବଣୀ ନନ୍ଦଙ୍କ ପିତା ବନବିହାରୀ ନନ୍ଦ, ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମର ରାଜ୍ୟ ପ୍ରତିନିଧ୍ ଡଃ ବାଦଲ୍ କୁମାର ମହାନ୍ତି ଓ ଯୋଗେନ୍ଦ୍ର ମାଝି ପ୍ରମୁଖଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ବିଶ୍ୱରଞ୍ଜନ ନାୟକ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଓଡ଼ିଶାରେ ଦୁଇଥର ହକି ବିଶ୍ଵ କପ୍ ଆୟୋଜନ ସମ୍ଭବ ହୋଇପାରିଛି ଯାହା ବିଶ୍ଵରେ ବିରଳ ବୋଲି ଅତିଥିମାନେ କହିଥିଲେ । ଓଡ଼ିଶାର ଯୁବଗୋଷ୍ଠୀ ମାନଙ୍କୁ ନିଶ୍ଚିତଭାବେ କେବଳ ହକି ନୁହେଁ ଅନ୍ୟ ଖେଳ ପ୍ରତି ମଧ୍ୟ ଏହା ପ୍ରଭାବିତ କରିବ ବୋଲି ଜିଲ୍ଲାପାଳ କହିବା ସହିତ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିଥିବାରୁ ପ୍ରଶଂସା ମଧ୍ୟ କରିଥିଲେ। ମିନି ମାରାଥନ୍‌ରେ ବାଳକ ବିଭାଗରୁ ଦିଲ୍ଲିପ ନାୟକ, ପ୍ରଥମ, ଅଭିସିଶା, ଦ୍ବିତୀୟ ଓ ନିଶିକାନ୍ତ ମଲ୍ଲିକ, ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବାଳିକା ବିଭାଗରୁ ପଞ୍ଚମି ମଲ୍ଲିକ, ପ୍ରଥମ, ଗୌରୀ କହଁର, ଦ୍ଵିତୀୟ ଓ ସୁମତି କହଁର, ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୩ ହଜାର, ୨ ହଜାର ଓ ୧ହଜାର ଟଙ୍କା ଲେଖାଁଏ ପୁରସ୍କାର ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ। ସେହିପରି ଆଜି ଉଦ୍ଘାଟିତ ହୋଇଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବିଜେତା ସାଶ୍ଵେତ ଓ ସୁରେଶ ଓ ଉପ-ବିଜେତା ବଣ୍ଟି ଓ ମୁନା ଯଥାକ୍ରମେ ୪ହଜାର ଟଙ୍କା ଓ ୨ହଜାର ଟଙ୍କା ଲେଖାଁଏ ପରସ୍କାର ଅତିଥିମାନଙ୍କ ଠାରୁ ଗ୍ରହଣ କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

ad-week
Leave A Reply

Your email address will not be published.