ମାଲକାନଗିରି : ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ୱକପ୍ ଟ୍ରଫି ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ୍ ଟ୍ରଫିକୁ ଦିଆଯାଇଛି ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା। ଦେଶପ୍ରେମରେ ଉଦବୁଦ୍ଧ ହୋଇ ଟ୍ରଫିକୁ ମାଲକାନଗିରିବାସୀ ଉଲ୍ଲାସର ସହ ଦେଖି ଚକ ଦେ ଇଣ୍ଡିଆ ଧ୍ଵନି ଦେଇ ସ୍ଵାଗତ କରିଥିଲେ । କୋରାପୁଟରୁ ଆସିଥିବା ଟ୍ରଫିକୁ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ଜନସାଧରଣଙ୍କ ଉପସ୍ଥିତିରେ ଗୋବିନ୍ଦପାଲିଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମାଥିଲି ଠାରେ ଅନୁରୂପ ଭାବେ ଟ୍ରଫିକୁ ସ୍ଵାଗତ କରାଯାଇଥିଲା। ମାଲକାନଗିରି ସଦର ମହକୁମାଠାରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ରହି ଭୈରବ ମନ୍ଦିର ଠାରେ ଟ୍ରଫିକୁ ସ୍ବାଗତ କରିଥିଲେ। ସେଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଟ୍ରଫି ଡିଏନକେ ଖେଳ ପଡିଆ ପହଞ୍ଚିଥିଲା। ଡିଏନକେ ଖେଳପଡ଼ିଆ ଠାରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ହକି ବିଶ୍ୱକପ୍ ଟ୍ରଫି ଏବଂ ମାସ୍କଟ ଓଲିକୁ ସ୍ଵାଗତ କରିଥିଲେ । ସ୍ଵାଗତ ସମାରୋହରେ ଜିଲ୍ଲା ପରିଷଦ, ଅଧ୍ୟକ୍ଷ, ଶ୍ରୀମତୀ ସମାରୀ ଟାଙ୍ଗୁଲୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି, ଅଧ୍ୟକ୍ଷ, ଶ୍ରୀ ଆଡମା ରାବା, ଚିତ୍ରକୋଣ୍ଡା ବିଧାୟକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଶ୍ରୀ ନୀତେଶ ୱାଧ୍ଵାନି, ଡିଏଫଓ, ଶ୍ରୀ ପ୍ରତାପ କୋଟାପଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ । ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ବାକା ସ୍ଵାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ବିଶ୍ୱକପ୍ ହକି ଭଳି ବିଶ୍ବସ୍ତରୀୟ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶା ଦୁଇ ଦୁଇ ଥର ଅୟୋଜନ କରିବା ଅତ୍ୟନ୍ତ ଗୌରବ କଥା। ପରେ ପଦ୍ମଗିରି ଏସଏସଡି ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ କୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଖେଳ ପଡିଆ ଠାରୁ ଟ୍ରଫି ଏକ ଭବ୍ୟ ଶୋଭାଯାତ୍ରାରେ ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ଏଠାରେ ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଥିବା କ୍ରୀଡାବିତ୍ ଓ ଫୁଟବଲ ଏବଂ ହକି ରେ ବିଜୟ ହାସଲ କରିଥିବା ଦଳକୁ ଅତିରିକ୍ତ ଜିଲ୍ଲପାଳ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ, ମୁଖ୍ୟ ଉନ୍ନୟନ ଅଧିକାରୀ,ଶ୍ରୀ ରତ୍ନାକର ସାହୁ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଶ୍ରୀ ତ୍ରିନାଥ ମାଝୀ ସମ୍ମାନିତ କରିଥିଲେ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗରୁ ଆସିଥିବା ଡ଼ଃ ବାଦଲ ମହାନ୍ତୀ, ଶ୍ରୀ ଜଗେନ୍ଦ୍ର ମାଝୀଙ୍କ ସମେତ ଟ୍ରଫି ସହ ଆସିଥିବା ସମସ୍ତ ସହଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ବଣ୍ଡା, କୋୟା ଓ ଦୁରୁଆ ସମ୍ପ୍ରଦାୟ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ଏନସିସି, ମିଶନ ଶକ୍ତିର ସଦସ୍ୟା, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡା ଛାତ୍ରାବାସର ପ୍ରଶିକ୍ଷାର୍ଥୀ ଏବଂ ବୁଦ୍ଧିଜୀବି ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ । ଶେଷରେ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳ, ପିଏ ଆଇଟିଡିଏ ଏବଂ କ୍ରୀଡ଼ା ଅଧିକାରୀ ଶ୍ରୀ ଧୃବଚରଣ ମୁଦୁଲି ମାଲକାନଗିରି- କୋରାପୁଟ ସୀମାଠାରେ ଟ୍ରଫିକୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ଜଣାଇଥିଲେ ।
