
ଫୁଲବାଣୀ : ସାମୁହିକ ଔଷଧ ସେବନ ଉପରେ ଅଲୋଚନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରୁ ଜଣାପଡ଼ିଛି ଯେ, ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟ ଏକ ମଶାବାହିତ ରୋଗ। ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ। ମାଇ
କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ଵାରାଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ, ହାତ ଫୁଲିଯାଏ । ବେଳେ ବେଳେ ପୁରୁଷ ଲୋକର ଅଣ୍ଡକୋଷ ଫୁଲିଯାଏ ଏବଂ ସ୍ତ୍ରୀ ଲୋକଙ୍କ ସ୍ତନ ଫୁଲି ଯନ୍ତ୍ରଣା ହୁଏ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର କେତେକ ଗ୍ରାମରେ ରାତ୍ରିକାଳୀନ ରକ୍ତ ନମୁନା ସଂଗ୍ରହ କରାଯାଉଛି ଏବଂ ଜିଲ୍ଲାରେ ଫାଇଲେରିଆ ରୋଗର ସଂକ୍ରମଣ ଅଛି ବୋଲି ଜଣାପଡ଼ିଛି । ତେଣୁ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୧୦ ଫେବୃଆରୀ, ୨୦୨୩ ରୁ ୧୯ ଫେବୃଆରୀ, ୨୦୨୩ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ବିଗତ ଦିନ ମାନଙ୍କରେ ଏହି ଔଷଧ ଘର ଘର ବୁଲି ବିତରଣ କରାଯାଉଥିଲା। ମାତ୍ର ଦେଖାଗଲା ପ୍ରାୟ ଲୋକ କୌଣସି ନା କୌଣସି କାରଣରୁ ଏହାକୁ ସେବନ କରୁ ନ ଥିଲେ । ଫଳରେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେଉନଥିଲା। କିନ୍ତୁ ଏବେ ଔଷଧ ସେବନ କରାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଡି.ଇ.ସି. ବଟିକା ସହିତ ଆଲ୍ବେଣ୍ଡାଜଲ ବଟିକାର ଗୋଟିଏ ମାତ୍ରା ନିଶ୍ଚୟ ଖାଇବାକୁ ଅନୁରୋଧ କରାଯାଉଛି । କେବଳ ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ଅତିଶୟ ରୁଗ୍ଣ ବ୍ୟକ୍ତି ବେଶେଷଙ୍କୁ ଏହି ଔଷଧ ସେବନରୁ ବାଦ୍ ଦିଆଯିବ। ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜନସାଧାରଣ, ଜିଲ୍ଲାର ପ୍ରତ୍ୟେକ ୱାର୍ଡ଼ମେମ୍ବର, ସମାଜ ସେବୀ, ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପୂର୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏହି ବଟିକା ସେବନ ସମ୍ପୂର୍ଣ ନିରାପଦ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି ।ଜିଲ୍ଲାର ସମୁଦାୟ ୪ହଜାର ୧୭ଟି ଗ୍ରାମ ଓ ୩ଟି ସହରାଞ୍ଚଳରେ ଔଷଧ ସେବନ କରାଇବା କାର୍ଯ୍ୟକ୍ରମରେ ୧୨ଗୋଟି ସି.ଏଚ୍.ସି.,୧୭୧ଗୋଟି ସବ୍ ସେଣ୍ଟର, ୩୨୦ଜଣ ସୁପରଭାଇଜର୍ ଓ ୩ ହଜାର ୨୮୮ଜଣ ଡ୍ରଗ୍ ଆଡ୍ମିନିଷ୍ଟ୍ରେଟର୍ ସହଯୋଗ କରିବେ ବୋଲି ଜଣାପଡ଼ିଛି । ବଟିକା ନ ଖାଇଲେ ଗୋଟିଏ ସୁସ୍ଥ ଲୋକ ମଶା ମାଧ୍ୟମରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ଏବଂ ଏହି ରୋଗ ମଣିଷକୁ ଲେପ୍ରୋସି ଭଳି ସମ୍ପୂର୍ଣ ବିକଳାଙ୍ଗ କରିଦେଇପାରେ ବୋଲି ଡା. ପ୍ରଭାକର ସାହୁ ପ୍ରକାଶ କରିଥିଲେ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଭୟ ନ କରି ବଟିକା ଖାଇବା ପାଇଁ ସେ ଅନୁରୋଧ କରିଥିଲେ। ସେହିପରି,ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଜୋନାଲ୍ କୋଡ଼ିନେଟର୍ ଡା.ଶ୍ୟାମବନ୍ଧୁ ରଥ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ମନୋରଞ୍ଜନ ସାହୁ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର,ଡା.ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସମେତ ସଂପୃକ୍ତ ବିଭାଗୀୟ ସରକାରୀ ପଦାଧିକାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଅନ୍ୟାନ୍ୟ ଅନୁଷ୍ଠାନର ମୁଖ୍ୟମାନେ ଯୋଗଦେଇଥିଲେ।