ବଣାଇଁ, ଗୁରୁଣ୍ଡିଆ ଏବଂ ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ

add-all

ହକି ମ୍ୟାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବେଲୁନ୍ ସୋ’ ମୁଖ୍ୟ ଆକର୍ଷଣ

ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରୁଛି ହକି ବିଶ୍ୱକପ୍ ଟ୍ରଫି। ଏହାକୁ ସ୍ୱାଗତ କରିବା ପାଇଁ ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ଦିନ ବଣାଇଁ, ଗୁରୁଣ୍ଡିଆ ଏବଂ ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ସ୍ଥାନରେ ଟ୍ରଫି ଟୁରକୁ ସ୍ୱାଗତ ବେଳେ ପ୍ରଦର୍ଶନୀ ହକି ମ୍ୟାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବେଲୁନ୍ ସୋ’ ପରିବେଶକୁ ଉତ୍ସବମୁଖର କରିଦେଇଥିଲା।

ବଣାଇଁ ବ୍ଲକର ହକି ଅଭ୍ୟାସ କେନ୍ଦ୍ରଠାରେ ଟ୍ରଫିକୁ ଉତ୍ସାହର ସହିତ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପ୍ରଦର୍ଶନୀ ହକି ମ୍ୟାଚ ଆୟୋଜନ କରାଯାଇଥିଲା।

ଟ୍ରଫିକୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ସଂକୀର୍ତ୍ତନ ଏବଂ ଆଦିବାସୀ ନୃତ୍ୟ ମାଧ୍ୟମରେ ଟ୍ରଫିକୁ ପାଛୋଟି ନିଆଯାଇଥିଲା। ଛାତ୍ରଛାତ୍ରୀ, ଯୁବପିଢ଼ି, ସାଧାରଣ ଲୋକ, ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିଲେ। ସେହିପରି ଗୁରୁଣ୍ଡିଆସ୍ଥିତ ବିର୍ସା ମୁଣ୍ଡା ହକି ପଡ଼ିଆରେ ସ୍ଥାନୀୟ ଖେଳାଳିମାନେ ଟ୍ରଫିକୁ ସ୍ଵାଗତ କରିଥିଲେ। ଏହି ଅବସରରେ ମହିଳା ହକି ଖେଳାଳି ମାନଙ୍କ ଭିତରେ ଏକ ପ୍ରଦର୍ଶନୀ ମ୍ୟାଚ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁରଞ୍ଜନ ସାହୁ ଏବଂ ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡିଥ୍ ଲାକ୍ରା ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱକପ୍ ଟ୍ରଫି ରାଜଗାଙ୍ଗପୁର ବ୍ଲକରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ରାଣୀବନ୍ଦଠାରୁ ଟ୍ରଫିକୁ ପାଛୋଟି ନିଆଯାଇଥିଲା। ଟ୍ରଫିକୁ ପାଖରୁ ଦେଖି ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଖୁସିରେ ବିଭୋର ହୋଇ ଯାଇଥିଲେ।

କାଂଶବାହାଲସ୍ଥିତ ଆଇଆଇପିଏମ୍ ଇନଷ୍ଟିଚ୍ୟୁଟ, ମନ୍ଦିରା ଡ୍ୟାମ, ଏଲ୍ ଆଣ୍ଡ ଟି ଏବଂ ଓସିଏଲ୍ ଅଞ୍ଚଳ ପରିକ୍ରମା କରିଥିଲା। ଛାତ୍ରଛାତ୍ରୀମାନେ ହକି ଷ୍ଟିକ ଧରି ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଟ୍ରଫିକୁ ସ୍ଵାଗତ କରିଥିଲେ। ଟ୍ରଫି ଟୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବେଲୁନ୍ ସୋ’ ଏହି ଟ୍ରଫି ଟୁରକୁ ଆକର୍ଷଣୀୟ କରିଥିଲା। ଓସିଏଲ ଷ୍ଟାଡିୟମରେ ଏକ ହକି ମ୍ୟାଚ କରାଯାଇ କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇଥିଲା।

ଜାନୁଆରି ୧୬ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରୁ ଟ୍ରଫି ଟୁର୍ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଏହି ଟ୍ରଫି ଟୁର୍ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରପାଳିକା ପରିକ୍ରମା କରୁଛି। ସବୁଠି ଆନନ୍ଦ ଉଲ୍ଲାସର ସହ ଟ୍ରଫିକୁ ସ୍ୱାଗତ କରାଯାଉଛି।

ad-week
Leave A Reply

Your email address will not be published.