
ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥୁରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଳିକ ଜିଲ୍ଲାର ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଓ ସମସ୍ତ ରୋଗ ନିରାକରଣ ଦିଗରେ ଆଶା ମାନଙ୍କର ପ୍ରସଂଶନୀୟ କାର୍ଯ୍ୟ, ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଗଠନରେ ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଲେ, ଆଶା ଭଉଣୀମାନେ ଦେଶର, ରାଜ୍ୟର, ଲୋକମାନଙ୍କର ଏବଂ ସର୍ବୋପରି ସ୍ଵାସ୍ଥ୍ୟ ବିଭାଗର ଆଶା କହିଲେ ଭୁଲ ହେବ ନାହିଁ। କାରଣ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେତେ ଉନ୍ନତି ହେଉଛି ସେଗୁଡ଼ିକ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସମ୍ଭବ ହୋଇପାରୁଛି। ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ପ୍ରଶନ୍ନ କୁମାର ତ୍ରିପାଠୀ କହିଲେ, ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ସେବା ଆଶାମାନଙ୍କ ଯୋଗୁଁ ସହଜ ହୋଇପାରୁଛି । ଜିଲ୍ଲାରେ ସମୁଦାୟ ୧୫୪୭ ଜଣ ଆଶା କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଯୋଗୁହିଁ ପୂର୍ବ ବର୍ଷମାନଙ୍କ ତୁଳନାରେ ଶିଶୁ ଓ ମାତୃ ମୃତ୍ୟୁହାର ଶତକଡ଼ା ୩୦ ଭାଗ କମିଯାଇଛି । ସେହିପରି, ସଂକ୍ରମଣ ରୋଗ ପରିଚାଳନାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି । ଗାଁ କଲ୍ୟାଣ ସମିତି, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଦୃଷ୍ଟି ବହୁଳତା ଓ ପୃଷ୍ଟି ହୀନତା, ବିଭିନ୍ନ ସଂକ୍ରମିତ ରୋଗ ଉପରେ ଗ୍ରାମାଞ୍ଚଳରେ ସଚେତନତା କରୁଛନ୍ତି । ଜିଲ୍ଲାରେ ୧୫ ଗୋଟି ମହିଳା ଆରୋଗ୍ୟ ସମିତି କାର୍ଯ୍ୟ କରୁଛି । ସେମାନେ ଡାକ୍ତରଖାନାରେ ପ୍ରସବ, ପ୍ରସବର ପରବର୍ତ୍ତୀକାଳୀନ ସ୍ବାସ୍ଥ୍ୟ ସେବା, ଟୀକାକରଣ, ନ୍ୟୁଟ୍ରିସନ ଉପରେ ଗୁରୁତ୍ବ ଦେଉଛନ୍ତି। ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା. ପ୍ରଭାକର ସାହୁ କହିଲେ, ସରକାର ଜନ୍ମ ପୂର୍ବରୁ ମୃତ୍ୟୁ ପର ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି। ତେବେ ସେଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଝାଇବା ଏମାନଙ୍କ ଯୋଗୁଁ ସମ୍ଭବ ଏବଂ ସହଜ ମଧ୍ୟ ହୋଇପାରୁଛି । ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା.ବସନ୍ତ କୁମାର ପାତ୍ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଗୁଡ଼ିକୁ ଲୋକାଭିମୁଖୀ କରିବାରେ ଆଶାମାନଙ୍କୁ ଶ୍ରେୟ ଦିଆଯିବ ବୋଲି କହିଥିଲେ । ସେମାନଙ୍କ ଯୋଗଦାନ ଠାରୁ ଅର୍ଥାତ୍ ୨୦୦୫ ମସିହା ଠାରୁ ଶିଶୁ ଓ ମାତୃ ମୃତ୍ୟୁହାର କମିବାରେ ଲାଗଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର ଆଶାଏବଂ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର ଅଙ୍ଗନୱାଡ଼ି, ଏ.ଏନ୍.ଏମ୍. ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ଗାଁ କଲ୍ୟାଣ ସମିତି ଓ ସହରାଞ୍ଚଳରେ କାର୍ଯ୍ୟକରୁଥିବା ମହିଳା ଆରୋଗ୍ୟ ସମିତି ମାନଙ୍କର ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ ଅବଦାନ ଉପରେ ବର୍ଣନା କରିଥିଲେ। ଜିଲ୍ଲାରେ ସର୍ବଶ୍ରେଷ୍ଠ ଆଶାଭାବେ ଫୁଲବାଣୀ ପୌର ପରିଷଦର ବିଦ୍ୟୁତ୍ଭା ପଟ୍ଟନାୟକ, ଶିବାନୀ ପାଣି ଓ ବାଲିଗୁଡ଼ା ବ୍ଳକର ବୁଡ଼କିଆ ଗ୍ରାମର ଦିପ୍ତିରେଖା ଦିଗାଲ ଯୁଗ୍ମଭାବେ ଦ୍ଵିତୀୟ ଏବଂ କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଦେକେତା ଗ୍ରାମର ଇନ୍ଦିରା ନାୟକ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୮ହଜାର, ୭ହଜାର ୫୦୦ ଓ ୭ହଜାର ଟଙ୍କାର ଚେକ୍, ମାନପତ୍ର, ଓ ଟ୍ରଫି ଅତିଥିମାନଙ୍କ ଠାରୁ ଗ୍ରହଣ କରିଥିଲେ। ସେହିପରି ଜିଲ୍ଲାରେ ସର୍ବଶ୍ରେଷ୍ଠ ଗାଁ କଲ୍ୟାଣ ସମିତିଭାବେ ୧୨ଗୋଟି ସମିତି ପ୍ରତ୍ୟେକେ ୧୦ହଜାର ଟଙ୍କାର ଚେକ୍,ମାନପତ୍ର, ଓ ଟ୍ରଫି ଗ୍ରହଣ କରିଥିବା ବେଳେ ୮ ଗୋଟି ମହିଳା ଆରୋଗ୍ୟ ସମିତି ପ୍ରତ୍ୟେକେ ୩ହଜାର ଟଙ୍କାର ଚେକ୍, ମାନପତ୍ର, ଓ ଟ୍ରଫି ଗ୍ରହଣ କରିଥିଲେ । ୧୨ ନଭେମ୍ବର ଠାରୁ ୧୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଚାଲୁଥିବା ଏମ.ଆଇ.ଏସ୍. କ୍ୟାମ୍ପେନ ରେ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅର୍.ନୂଆ ଗାଁ ଉପ-ସ୍ବାସ୍ଥ୍ୟ କେନ୍ଦ୍ର ପ୍ରଥମ ସ୍ଥାନ ଓ ଦଳପଡ଼ା ଉପ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ୱିତୀୟ ସ୍ଥାନ ଏବଂ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଉପ ସ୍ବାସ୍ଥ୍ୟ କେନ୍ଦ୍ର ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୪୦ହଜାର, ୨୦ହଜାର ଓ ୧୦ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଗ୍ରହଣ କରିଥିଲେ ।ଏହି ବାର୍ଷିକ ସମ୍ମିଳନୀକୁ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଓ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିଲେ। ଆଶା ପରିଚାଳକ ଯଶସ୍ଵିନୀ ସାହାଣୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ସମସ୍ତ ପରିଚାଳକ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।