ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

add-all

ବ୍ରହ୍ମପୁର : ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ମଧୁସ୍ମିତା ଓ ତାଙ୍କ ପରିବାର ଲୋକଙ୍କ ଖୁସିକୁ ଦ୍ଵିଗୁଣିତ କରିଥିଲା। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ “ଆଫ୍ରିକୀୟ ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରି ବିରଳ କୃତିତ୍ୱ ପ୍ରତିଷ୍ଠା କରିଥିବା ବ୍ରହ୍ମପୁରର ମଧୁସ୍ମିତା ପାତ୍ରଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ଏହିପରି ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବା ସହ ତାଙ୍କର ଉଜ୍ଜ୍ବଳ ମୟ ଭବିଷ୍ୟତ କାମନା କରୁଛି”। ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ମୋ ପାଇଁ ବେଶ୍ ପ୍ରେରଣାଦାୟୀ ବୋଲି କହିଛନ୍ତି ମଧୁସ୍ମିତା।

ଗତ ୧୩ ତାରିଖ ସକାଳ ଘ. ୭.୦୫ ମି. ସମୟରେ ୫୮୯୫ ମିଟର ଉଚ୍ଚ କିଲିମାଞ୍ଜେରୋ ପର୍ବତ ଶିଖର ଆରୋହଣ କରିଥିଲେ ମଧୁସ୍ମିତା। ବ୍ରହ୍ମପୁର ଗୋସାଇଁନୂଆଗାଁ ବାସିନ୍ଦା ପ୍ରେମାନନ୍ଦ ପାତ୍ର ଓ ପୁଷ୍ପାଞ୍ଜଳି ଦେବୀଙ୍କ ସୁକନ୍ୟା ମଧୁସ୍ମିତା ନିଜ ସଫଳତାର ଶ୍ରେୟ ବାପା‌ ମାଆଙ୍କ ଆଶୀର୍ବାଦ ଓ ରେଶମ ସହରବାସୀଙ୍କ ଶୁଭେଚ୍ଛାକୁ ଦେଇଛନ୍ତି। ଏହା ମୋ ପାଇଁ ଶେଷ ନୁହେଁ, ଆଗକୁ ଆହୁରି ଉଚ୍ଚତମ ପର୍ବତ ଚଢ଼ିବା ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ମଧୁସ୍ମିତା ପାତ୍ର।

ad-week
Leave A Reply

Your email address will not be published.