
ବ୍ରହ୍ମପୁର : ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି. ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ କମାପଲ୍ଲୀ ଛକ ନିକଟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅର୍. ଡି. ସି., ବ୍ରହ୍ମପୁରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦେଶର ଜନସାଧାରଣ କରୋନା ଜନିତ ଆର୍ଥିକ ଦୁରାବସ୍ତାରୁ ଉଦ୍ଧାର ପାଇନଥିବା ବେଳେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରବୃଦ୍ଧି ନିମନ୍ତେ ଜନସାଧାରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଭଳି ଏକ ସଙ୍କଟମୟ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡା ସଦୃଶ ରନ୍ଧନ ଗ୍ୟାସର ମୂଲ୍ୟ ଚଳିତ ମାସରେ ୫୦ ଟଙ୍କା ବୃଦ୍ଧି ପାଇଛି । ସୂଚନା ଥାଉକି,ଚଳିତ ବର୍ଷର ପ୍ରଥମ ଦୁଇ ମାସରେ ରୋଷେଇ ଗ୍ୟାସ୍ ମୂଲ୍ୟ ୭୫ ଟଙ୍କା ବଢ଼ିଛି। ଗତ ଜାନୁଆରିରେ ୨୫ ଟଙ୍କା ବଢ଼ିବା ପରେ ମାର୍ଚ୍ଚ ୧ରେ ଦାମ୍ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି। ରୋଷେଇ ଲାଗି ଗ୍ୟାସ୍ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ଗୋଟିଏ ୧୪.୨ କେଜି ସିଲିଣ୍ଡର କିଣିବା ଲାଗି ୧୧୨୯ ଟଙ୍କାରେ କ୍ରୟ କରିବାକୁ ପଡ଼ିବ । ଏଭଳି ସମୟରେ ଗରିବ ଓ ସାଧାରଣ ବର୍ଗ ପରିବାରର ଅବସ୍ଥା କ\’ଣ ହେବ ତାହା ସହଜରେ ଅନୁମାନ କରାଯାଇପାରୁଛି । ଏଲ୍ପିଜି ମୂଲ୍ୟରେ ବାରମ୍ବାର ବୃଦ୍ଧି କରାଯିବା ପରେ ସବ୍ସିଡି ପରିମାଣ ନଗଣ୍ୟ ସ୍ତରକୁ ହ୍ରାସ ପାଇ ସିଲିଣ୍ଡର କିଣା ମୂଲ୍ୟ ଓ ବଜାର ମୂଲ୍ୟ ପ୍ରାୟ ସମାନ ହୋଇଯାଇଛି । ତେଣୁ ଅବିଳମ୍ବେ ଦରବୃଦ୍ଧି ରୋକି ସୁଲଭ ଦରରେ ଜନସାଧାରଣଙ୍କୁ ରନ୍ଧନ ଗ୍ୟାସ୍ ଯୋଗାଇଦେବା ପାଇଁ ଏସ୍.ୟୁ.ସି. ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା । ଏହାକୁ ନେଇ ଆଜି କମାପଲ୍ଲୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କାମରାଜ ସାହୁ, କିସାନ କୁମାର ସାହୁ, ମଧୁସୂଦନ ଦାସଙ୍କ ସମେତ ବହୁ କର୍ମକର୍ତା ସାମିଲ ହୋଇଥିଲେ ।