
ଫୁଲବାଣୀ : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଆଇସିଏଆର୍ – ସିଫା, ଏସ୍ସିଏସ୍ପି ପ୍ରକଳ୍ପ ଅଧୀନରେ ଫୁଲବାଣୀ ଠାରେ ଆଇସିଏଆର୍- ସିଫାର ମଧୁର ଜଳ ଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା – କନ୍ଧମାଳ ଓ ଢେଙ୍କାନାଳ’ ପ୍ରକଳ୍ପର ପତ୍ରିକା ଉନ୍ମୋଚନ କରିଥିଲେ। ଆଇସିଏଆର୍- ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସି.କେ.ମିଶ୍ର ମଧୁର ଜଳ ଜୀବ ପାଳନରେ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଆଲୋଚନା କରିବା ସହିତ ଅନୁସୂଚିତ ଜାତି ହିତାଧ୍ୟାକାରୀମାନଙ୍କୁ ସେମାନଙ୍କ ପରିବାରର ରୋଜଗାର ବୃଦ୍ଧି ପାଇଁ ପୋଖରୀରେ ମାଛର ସଠିକ ଅଭିବୃଦ୍ଧି ଓ ବଂଚିବା ପାଇଁ ଅତ୍ୟାଧୁନିକ ଖାଦ୍ୟର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ସେ ରଙ୍ଗୀନ ମାଛ ଓ ମୁକ୍ତା ଚାଷ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟତମ ପ୍ରଧାନ ବୈଜ୍ଞାନିକ ଡଃ ଜି.ଏସ୍. ସାହା ‘ ଟ୍ୟାଙ୍କ୍ରେ ଥିବା ମାଛ- ବ୍ୟାଙ୍କରେ ଥିବା ଟଙ୍କା ପରି’ କହିବା ସହିତ ମହିଳାମାନେ କିପରି ଖାଲି ସମୟରେ ନିଜକୁ ମାଛ ଚାଷରେ ନିୟୋଜିତ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନିଲ କୁମାର ମଲ୍ଲିକ ମାଛ ଚାଷ ଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିବା ବେଳେ ଆଇସିଆର୍ର୍ଜି ପ୍ରକଳ୍ପର ଜିଲ୍ଲା ସଂଯୋଜକ ତଥା ସେବାଜଗତ ଏନ୍ଜିଓର କର୍ମକର୍ତ୍ତା ସତ୍ୟନାରାୟଣ ମଲ୍ଲିକ ଜିଲ୍ଲା ମତ୍ସ୍ୟଚାଷୀଙ୍କ ପାଇଁ ଏନ୍ଜିଓ କିପରି କାର୍ଯ୍ୟ କରୁଛି ତାହା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ମଧୁର ଜଳ ଜୀବ ପାଳନର ମହତ୍ଵ ଉପରେ ଆଲୋଚନା କରିବା ସହିତ ପୋଖରୀ ରେ ଉତ୍ପାଦକତା ବୃଦ୍ଧି ପାଇଁ ଆଇସିଏଆର୍ -ସିଫାର ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ସେଥିପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ ରିହାତି ବିଷୟରେ ସେ ସୂଚନା ଦେଇଥିଲେ । ଏହି ପ୍ରକଳ୍ପ କ୍ଷେତ୍ରରେ କନ୍ଧମାଳକୁ ଅନ୍ତର୍ଭୁକ୍ତ କରିଥିବାରୁ ସେ ଆଇସିଏଆର୍-ସିଫାକୁ ଧନ୍ୟବାଦ ଦେବା ସହିତ ଜିଲ୍ଲାର ମତ୍ସ୍ୟଚାଷୀମାନେ ଏଥିରୁ ଉପକୃତ ହେବେ ବୋଲି କହିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୧୦୦ ଜଣ ପୁରୁଷ ଓ ମହିଳା ହିତାଧିକାରୀ ଯୋଗଦେଇଥିଲେ।