
ସୁନ୍ଦରଗଡ଼/ସବ୍ଡେଗା : ସୁନ୍ଦରଗଡ଼ ଜିଲା ସବ୍ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାତଜନ୍ମ ପର୍ଯ୍ୟନ୍ତ ସାଥୀ କରି ରଖିବା ପ୍ରତିଜ୍ଞା ଭାସି ଯାଇଛି ପାରିବାରିକ ଅଶାନ୍ତିରେ।ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କରିଥିଲେ ସ୍ଵାମୀ ହେମନ୍ତ ଡନସନା (୨୭)।ଏହାର ଦୁଇଦିନ ପରେ ସେ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ରେଶ୍ମାଙ୍କ ବାପା ଗୋବିନ୍ଦ ଡନସନାଙ୍କ ବୟାନ ଅନୁଯାୟୀ ୨୦୨୨ ଜୁନ୍ରେ ସେ ଝିଅ ରେଶମାଙ୍କ ବିବାହ ଡମକୁଡାର ହେମନ୍ତଙ୍କ ସହ କରାଇଥିଲେ। କିଛିଦିନ ପରେ ହେମନ୍ତ ତାଙ୍କ ସ୍ତ୍ରୀ ରେଶମାଙ୍କୁ ବାପଘର ସବଡେଗା ନୂଆପଡ଼ାରେ ଛାଡ଼ି ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ଗୋଆରୁ ୨୦ ଦିନ ହେବ ଘରକୁ ଫେରିଥିଲେ ହେମନ୍ତ ଓ ସାଙ୍ଗରେ ତାଙ୍କ ସ୍ତ୍ରୀ ରେଶମାଙ୍କୁ ନେଇ ନିଜ ଘର ଡମକୁଡାକୁ ଯାଇଥିଲେ। ହେଲେ ହେମନ୍ତଙ୍କ ସାବତ ମା’ ଦୁହିଁଙ୍କୁ ଅଲଗା ରାନ୍ଧି ଖାଇବାକୁ କହିଥିଲେ। ଏହା ଜାଣି ରେଶମାଙ୍କ ବାପା ଚାଉଳ ଓ କିଛି ଖାଇବା ସାମଗ୍ରୀ ଝିଅକୁ ନେଇ ଦେଇଥିଲେ। ସ୍ତ୍ରୀ-ସ୍ବାମୀ ବହୁତ ଭଲରେ ଚଳୁଥିଲେ। ହଠାତ୍ ତିନିଦିନ ତଳେ ଏଭଳି ଘଟଣା ଘଟିଥିବାରୁ କିଛି ବୁଝି ପାରୁନି ବୋଲି କହିଛନ୍ତି ଗୋବିନ୍ଦ। ଅପରପକ୍ଷେ ହେମନ୍ତଙ୍କ ମା’ କହିବା ହିସାବରେ ରେଶ୍ମା ରବିବାର କାମରୁ ଆସିଥିଲେ। ରାତିରେ ଦୁଇଜଣ ତାଙ୍କ ରୁମ୍ରେ ଶୋଇଥିଲେ କିନ୍ତୁ ରେଶମା ରୁମ୍ରୁ ସୋମବାର ଓ ମଙ୍ଗଳବାର ଦିନସାରା ବାହାରି ନ ଥିଲେ। ଖାଲି ହେମନ୍ତ କବାଟ ବନ୍ଦ କରି ବାହାରୁଥିଲେ। ଏହାଦେଖି ହେମନ୍ତଙ୍କ ମା’ ବୋହୂର କଣ ହେଲା ବାହାରୁନି କହି ପଚାରିବାରୁ ତାକୁ ଥଣ୍ଡା ହୋଇଛି ବୋଲି କହି ମଙ୍ଗଳବାର ଦିନ ଦିନ ୧୨ ଟାରେ ରୁମ୍କୁ ପଶିଯାଇ କବାଟ ବନ୍ଦ କରି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ହେମନ୍ତଙ୍କୁ ଡାକ ପକାଇଥିଲେ ମାଆ।ମାତ୍ର କିଛି ଉତ୍ତର ନ ଆସିବାରୁ ଘର ଲୋକେ ଲୁହା ଶାବଳରେ କବାଟ ତାଡ଼ି ପଶି ଦେଖିବାରୁ ଖଟରେ ରେଶମା ମରିଥିବା ଓ ପାଖରେ ବେକରେ ଗାମୁଛା ଲଗାଇ ହେମନ୍ତ ଝୁଲୁଥିବା ଦେଖିଥିଲେ। ପରେ ତଳସରା ଥାନାକୁ ଖବର ଦେଇଥିଲେ। ମଙ୍ଗଳବାର ଦିନ ପୋଲିସ ଆସି ଘରକୁ ତାଲା ପକାଇ ଦେଇଥିଲେ ଏବଂ ବୁଧବାର ସକାଳେ ସାଇଣ୍ଟିଫିକ୍ ଦଳ ସହ ଘର ଖୋଲି ତହସିଲଦାର, ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲେ। ସ୍ତ୍ରୀଙ୍କ ମୃତଦେହ ପଚି ଗନ୍ଧ ହେଉଥିବାରୁ ଦୁଇଦିନ ଆଗରୁ ରେଶମାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଘଟଣାରୁ ଅନୁମାନ କରାଯାଉଛି କି, କୌଣସି କାରଣରୁ ହେମନ୍ତ ସ୍ତ୍ରୀଙ୍କୁ ରବିବାର ରାତିରୁ ହତ୍ୟା କରିଥିଲେ। ଦୁଇଦିନ ପରେ କୌଣସି ଉପାୟ ନ ପାଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବାର ଜଣା ପଡିଛି। ହେଲେ ଦୁଇଜଣ ମରିଯିବାରୁ ହତ୍ୟାର କାରଣ ବିଷୟରେ ବିଭିନ୍ନ ଚର୍ଚ୍ଚା ହେଉଛି।