ଦୀର୍ଘ ଦୁଇବର୍ଷ ପରେ ମା’ ବାହାରିଲେ ସହର ବୁଲି : ଆରମ୍ଭ ହେଲା ମା ବୁଢ଼ୀ ଠାକୁରାଣୀଙ୍କର ଘଟଯାତ୍ରା

add-all


ନବରଙ୍ଗପୁର : ସତେ ଯେମିତି କୁନି ଝିଅ ଟିଏ ହାତରେ ନୂଆଚୁଡ଼ି, ପାଦରେ ଅଳତା ଓ ଦେହରେ ଅତର ଲଗେଇ ଅତି ମନ ଖୁସି ରେ ନିଜ ଚାରି ଭଉଣୀ ଙ୍କୁ ନେଇ ବାହାରିଛି ସହର ବୁଲି, ଆଜି ନବରଙ୍ଗପୁର ର ପ୍ରତ୍ୟେକ ଶ୍ରଦ୍ଧାଳୁ ଙ୍କ ମନରେ ଠିକ ଏମିତି କିଛି ଅନୁଭବ ହେଉଥିଲା । ଦୀର୍ଘ ଦୁଇ ବର୍ଷ ର କୋଭିଡ୍ କଟକଣା ପରେ ମାଁ ଆଜି ପାରମ୍ପାରିକ ବାଦ୍ୟ ର ତାଳେ ତାଳେ ଚମ୍ପା ଫୁଲର ମହକ ଆଉ ଝୁଣା ର ବାସ୍ନା ରେ ସହରକୁ ମହକାଇ ଦେଇ ହସି ହସି ବାହାରିଲେ ନବରଙ୍ଗପୁର ସହର ବୁଲି , ମହା ଆଡ଼ମ୍ବର ରେ ଆରମ୍ଭ ହୋଇ ଯାଇଛି ମା ବୁଢ଼ୀ ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଟ ଯାତ୍ରା l ଏହି ଠାକୁରାଣୀ ଙ୍କ ଘଟଯାତ୍ରା ସହ ଯୋଡି ହୋଇ ରହିଛି ଅନେକ ପରମ୍ପରା ଅନେକ କିମ୍ବଦନ୍ତୀ । ଆଦିବାସୀ ରୀତି, ନୀତି,ପରମ୍ପରା ଅନୁସାରେ ମା କେଉଁ ଅନାଦି କାଳ ରୁ ଏଠି ପୂଜା ପାଇ ଆସୁଛନ୍ତି l ଚଳିତ ବର୍ଷ ମା ଙ୍କ ଏହି ଘଟ ଯାତ୍ରା ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ନବରଙ୍ଗପୁର ସହର।
ପରମ୍ପରା ଅନୁସାରେ ଏହି ଘଣ୍ଟ ଯାତ୍ରା ରେ ମା ବୁଢ଼ୀ ଠାକୁରାଣୀ, ମା ଭଣ୍ଡାର ଘରଣୀ, ମାଉଲି ମା ଓ ମା କନକ ଦୁର୍ଗା ( ପରଦେଶୀ ମା) ଙ୍କ ଚାରୋଟି ଘଟ ସହ ଚାରି ମା ଙ୍କ ଆଜ୍ଞାମାଳ ପାଇଁ ଗୋଟିଏ ଛତର, ଦୁଇ ଗୋଟି ଧ୍ବଜା, ମା ଙ୍କ ମାର୍ଗ କୁ ଶୁଦ୍ଧ ପବିତ୍ର କରି ନେବା ପାଇଁ ଗୋଟିଏ ହଳଦୀ ପେଡି ଓ ଛଡା ଫୁଲ ରଖିବା ପାଇଁ ଏକ ଟୋକେଇ କୁ ସାମିଲ କରାଯାଏ l ଆଦିବାସୀ ମହିଳା ମାନଙ୍କ ଦ୍ୱାରା ମାଟିରେ ତିଆରି ମା ଙ୍କ ଘଟ କୁ ସିନ୍ଦୁର, ହଳଦୀ, ଚନ୍ଦନ, ଶାଢ଼ୀ ଚୁଡ଼ି ଦ୍ୱାରା ମା ଙ୍କ ବିଗ୍ରହ ର ରୂପ ଦେଇ ପୂଜାର୍ଚନା ପାଇଁ ଭଣ୍ଡାର ଘରଣୀ ଙ୍କ ପୀଠ ର ମୁଖ୍ୟ ପୂଜକ ଙ୍କ ଦ୍ୱାରା ଘଟ ଗୁଡିକ ର ପ୍ରାଣ ପ୍ରତିଷ୍ଠା ପରେ ସମସ୍ତ ଘଟ ଏକ ବିରାଟ ପଟୁଆର ରେ ଗ୍ରାମଦେବୀ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର କୁ ଯାଆନ୍ତି l ସେଠାରେ ପୂଜାର୍ଚନା ପରେ ରାଜା ରାଜୁଡା ଅମଳ ର ପରମ୍ପରା ଅନୁଯାଇ ରାଜ ପରିବାର ର ସଦସ୍ୟ ପ୍ରଥମେ ମା ଙ୍କୁ ପୂଜାର୍ଚନା କରିଥାନ୍ତି l ପରେ ମା ବାହାରନ୍ତି ସହର ପରିକ୍ରମା ରେ l ପ୍ରତ୍ୟେକ ଦିନ କିଛି କିଛି ସାହି କୁ ଯାଇ ପ୍ରତ୍ୟେକ ଘରେ ମାଁ ପୂଜା ପାଇଥାନ୍ତି ଆଜି ମାଁ ହଳଦୀ ମୁହିଁ ବେଶ ହୋଇ ସହର ପରିକ୍ରମା ରେ ବାହାରିଥିବା ବେଳେ ଆସନ୍ତାକାଲି ଠାରୁ ରକ୍ତ ମୁଖା ହୋଇ ସାହି ଠାରୁ ସହର ର ଗଳି କନ୍ଦି ପରିକ୍ରମା କରିବେ।
ମା ଙ୍କ ଆଗମନ କୁ ନେଇ ପ୍ରତ୍ୟେକ ଘର ଅଗଣା କୁ ଗୋବର ଛଡା ପକେଇ ଲାଲ ମାଟିର ଆସ୍ଥାନ ଉପରେ ସୁନ୍ଦର ଝୋଟି ଚିତା ଦେଇ ମୁଆଁ, ନଡ଼ିଆ, କଦଳୀ, ଧୂପ ଦୀପ ସଜାଡି ମା ଙ୍କ ଆସିବା ବାଟ କୁ ଚାହିଁ ରହିଥାନ୍ତି ଭକ୍ତ ଗଣ,କାରଣ ବର୍ଷ ରେ ଥରେ ହିଁ ମା ଆସନ୍ତି ଭକ୍ତ ଙ୍କ ଦୁଆର କୁ l ଝୁଣା ଧୂପ ବାସ୍ନା ରେ ମହକି ଉଠେ ସାରା ଅଞ୍ଚଳ l ଘଣ୍ଟ, ବାଦ୍ୟ, ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠେ ସହର ର ପ୍ରତ୍ୟେକ ସାହି ,ଯାତ୍ରା କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ,ଓ ପୌର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ad-week
Leave A Reply

Your email address will not be published.