
ଦାରିଙ୍ଗବାଡି,୧୯/୪, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇ ଗଲେଣି। ଏଇଭଳି ପରିସ୍ଥିତିରେ ଲୋକେ ସଠିକ୍ ଭାବେ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭକି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକ୍ ଅଞ୍ଚଳରୁ । ଏହି କିଛି ଦିନ ହେବ ଦାରିଙ୍ଗବାଡି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗରମ ଅସହ୍ୟ ହେଉଛି । ଦିନ ତମାମ ଗୁଳୁଗୁଳି ଲାଗୁଚି । ଗରମ ପବନ ବହୁଛି । ହେଲେ ଏଭଳି ସ୍ଥିତିରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନ କୁ ୮ ରୁ ୧୦ ଥର ବିଦ୍ୟୁତ୍ କାଟ ହେଉଛି । ଏଭଳି ବିଦ୍ୟୁତ୍ କାଟ ହେବା ଦ୍ଵାରା ଲୋକେ ନାହିଁ ନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାଧାରଣ ଗରିବ ଲୋକଙ୍କ ଉପରେ ବିଦ୍ୟୁତ୍ କାଟର ବହୁତ ପ୍ରଭାବ ପଡ଼ୁଚି । ଦିନ ବେଳେ ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ ଟିକିଏ ଲଗେଇ ହେଉନାହିଁ । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ କିଛି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ବେଳେ ଅନେକ ଉପାନ୍ତ ପଞ୍ଚାୟତରେ ଦିନ ତମାମ ମଧ୍ୟ ବିଦ୍ୟୁତ୍ କାଟ ହୋଇ ରହୁଥିବା ଅଭିଯୋଗ ଆସିଛି। ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ୍ କାଟ ହେବ ନାହିଁ କହୁଥିବା ବେଳେ ଅନ୍ୟପଟେ ଦାରିଙ୍ଗବାଡି ଅଞ୍ଚଳରେ ଘନଘନ ବିଦ୍ୟୁତ କାଟ ନେଇଁ ସାଧାରଣ ଜନତା ଚିନ୍ତିତ। ବିଦ୍ୟୁତ୍ ବିଭାଗରେ କର୍ମଚାରୀ ସଠିକ୍ ଭାବେ ରହିଥିଲେ ସୁଦ୍ଧା କିଭଳି ଘନ ଘନ ବିଦ୍ୟୁତ୍ କାଟ ହେଉଛି ତାହା ବିଦ୍ୟୁତ୍ ବିଭାଗ ପ୍ରତି ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଏଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ସହ ବିଦ୍ୟୁତ୍ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।