ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅକ୍ଷୟ ତୃତୀୟା ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନିର୍ଭୟା କଢି, ଆଦ୍ବିକା ଆଦି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଅହରହ କାର୍ଯ୍ୟ କରିଆସୁଛି । ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, କୁଳ ସମାଜ, ଗାଁ କଲ୍ୟାଣ ସମିତି, ମିଶନ୍ ଶକ୍ତି, ନିର୍ବାଚିତ ପ୍ରତିନିଧି, ସିଡିପିଓ, ସି.ଡବ୍ଲ୍ୟୁସି ଆଦି ସେମାନଙ୍କୁ ସହଯୋଗର ହାତ ବଢାଇ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସମସ୍ତଙ୍କୁ ସ୍ବାଗତ କରିବା ସହ ବାଲ୍ୟ ବିବାହର କୁପରିଣତି ଓ ଏହାକୁ କିପରି ନିରାକରଣ କରାଯାଇ ପାରିବ ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ବାଲ୍ୟ ବିବାହ କରିବା ଓ କରାଇବା ଏକ ଦଣ୍ଡନୀୟ ଅପରାଧ । ଏଣୁ ଏହାର ନିରାକରଣ ଦିଗରେ ସମସ୍ତେ କାର୍ଯ୍ୟକରିବାକୁ ଆଗେଇ ଆସିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ବାଲ୍ୟ ବିବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଇ ଏକ ସୁସ୍ଥ ସମାଜ ଗଠନ କରି ଆଗକୁ ବଢିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ବାଲ୍ୟ ବିବାହ ହେଉଥିବା ଖବର ପାଇଲେ ତାକୁ ବନ୍ଦ କରାଇବା ଓ ଏ ଦିଗରେ ଜନ ସାଧାରଣଙ୍କୁ ସଚେତନତା କାର୍ଯ୍ୟ କରିଥିବା ବିଭିନ୍ନ କୁଳ ସମାଜର ସଭାପତି ଭଗବାନ ଗୌଡ, ଦୂର୍ଗାଚରଣ ପଲେଇ, ମହମ୍ମଦ ଏକବାଲ୍, ଡି. ହରେରାମ ରେଡ୍ଡୀ, ରଙ୍କନିଧି ଦାସ, ଡଃ ସରୋଜ କୁମାର ଶତପଥୀ, ମୋତିଲାଲ୍ ଦାଶ, ଗାନ୍ଧୀ ନାୟକ ଏବଂ ନିର୍ବାଚିତ ପ୍ରତିନିଧି ରାଜେଶ କୁମାର ସାହୁ ଏବଂ ବିନଶ୍ଚଳା ସ୍ବାମୀଙ୍କୁ ଉପଢୌକନ ଏବଂ ପ୍ରମାଣପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ସହ ଏହାର ନିରାକରଣ ନିମନ୍ତେ ସମସ୍ତେ କାର୍ଯ୍ୟ କରିବାକୁ ଶପଥ ପାଠ କରାଯାଇଥିଲା । ପରିଶେଷରେ ଆକ୍ସନ୍ ଏଡ୍ ର ପ୍ରକଳ୍ପ ସଂଯୋଜକ ଦେବବ୍ରତ ମାହୁନ୍ତଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବ୍ରହ୍ମପୁର,ଅରିମ୍ କୁମାର ପଣ୍ଡା, ମେମ୍ବର ସି.ଡବ୍ଲ୍ୟୁ.ସି. ସିଏଚ୍ ଜ୍ୟୋତି କୁମାରୀ, ଜିଲ୍ଲା ସଂଯୋଜକ, ସମଗ୍ର ଶିକ୍ଷା ଡଃ ସରୋଜ ମୋହନ ପାଲ, ଇନିସ୍ପେକ୍ଟର ଅଫ୍ ପୋଲିସ୍ ସୀତାଂଶୁ ଶେଖର ମାନ୍ଧାତା, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ କର୍ମଚାରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.